ଗିଡ଼ିପାବାଲିରେ ଥମିଲା ଖୋଜାଖୋଜି, ୧୧ ନିଖୋଜଙ୍କ ହେବ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର
ଭୁବନେଶ୍ଵର ( ରାଜ୍ୟ କାହାଣୀ ) ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ଥମିଲା ଉଦ୍ଧାର ଅଭିଯାନ । ବିଶାଳକାୟ ପଥର ତଳେ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ପଥରଗୁଡ଼ିକୁ ହଟାଇବା ସମ୍ଭବ ହୋଇପାରିନାହିଁ । ଶେଷରେ ଉଭୟ ଜିଲ୍ଲାର ପ୍ରଭାବିତ ଲୋକଙ୍କ ସହ ଆଲୋଚନା ଓ ବୁଝାସୁଝା ପରେ ଉଦ୍ଧାର ଅଭିଯାନ ଶେଷ କରାଯାଇଛି ।ଏହି ବିପର୍ଯ୍ୟୟରେ ୧୩ ଜଣ ନିଖୋଜ ହୋଇଥିବା ବେଳେ ୬ରୁ ଅଧିକ ଟିମ୍ ତିନି ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏହା ମଧ୍ୟରେ ୨ ଜଣଙ୍କୁ ମାଟି ଓ ପଥର ଗଦା ତଳୁ ଉଦ୍ଧାର କରାଯାଇଛି। ହେଲେ ଏବେ ବି ୧୧ ଜଣଙ୍କ ପତ୍ତା ମିଳିନାହିଁ ।ଚତୁର୍ଥ ଦିନରେ ମଧ୍ୟ ଉଦ୍ଧାର ଅଭିଯାନକୁ ସଫଳତା ମିଳିନଥିଲା । ଏହାପରେ ଆଗାମୀ ପାଣିପାଗ ସ୍ଥିତିକୁ ଦେଖି ଅଭିଯାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି ପ୍ରଶାସନ। ଏନେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ୍ ସୂଚନା ଦେଇଛନ୍ତି ।ଅନ୍ୟପଟେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାପାଳ ଉଭୟ ଜିଲ୍ଲାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରଭାବିତ ପରିବାରଗୁଡ଼ିକୁ ପୁନର୍ବାସ ଓ ଥଇଥାନ ପାଇଁ ଆଶ୍ୱାସନା ଦିଆଯାଇଛି ।ସେମାନେ ଗଞ୍ଜାମ କିମ୍ବା କନ୍ଧମାଳ ଜିଲ୍ଲା ମଧ୍ୟରୁ ନିଜ ପସନ୍ଦର ସ୍ଥାନରେ ରହିପାରିବେ । ସେହି ସ୍ଥାନରେ ସେମାନଙ୍କୁ ଜମି ସହ ଘର ଯୋଗାଇଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ଅନ୍ୟପଟେ ସୋମବାର ଠାବ ହୋଇଥିବା ମୃତଦେହକୁ ମଙ୍ଗଳବାର ଉଦ୍ଧାର କରାଯାଇ ପରିବାର ଓ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଗ୍ରାମବାସୀଙ୍କ ଉପସ୍ଥିତିରେ ଘଟଣାସ୍ଥଳ ନିକଟରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ୟ ନିଖୋଜଙ୍କ ପାଇଁ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର କରାଯିବା ନେଇ ମଧ୍ୟ ଆଲୋଚନା ହେଉଛି ।