କୋଟିଆରେ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ

ଭୁବନେଶ୍ଵର ( ରାଜ୍ୟ କାହାଣୀ ) କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ। ସୀମାନ୍ତ ନେରିଡ଼ିୱାଲସାରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ। ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୋଲିସ ବ୍ୟାରିକେଡ୍‌ କରିଥିବା ବେଳେ ଏହାକୁ ଆନ୍ଧ୍ର ପୋଲିସ ଭାଙ୍ଗି ଦେଇଥିବା ଅଭିଯୋଗ।କୋରାପୁଟ ଉପଜିଲ୍ଲାପାଳ, ପଟାଙ୍ଗୀ ତହସିଲଦାରଙ୍କ ସହ ବି ଆନ୍ଧ୍ର ପୋଲିସର ଯୁକ୍ତିତର୍କ ହୋଇଥିଲା। କାଲି ଆନ୍ଧ୍ରର ରାସନ ଚାଉଳ ବୋଝେଇ ଟ୍ରକକୁ ଅଟକାଇଥିଲା ଓଡ଼ିଶା ପୋଲିସ। ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶରେ ପଂଚାୟତ ନିର୍ବାଚନ ପାଇଁ କୋଟିଆରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।କୋଟିଆରେ ମୁତୟନ ହୋଇଛନ୍ତି ୭ ପ୍ଲାଟୁନ ପୋଲିସ ଫୋର୍ସ। ତିନିଟି ଚେକ୍ ଗେଟ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ୯ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଦାୟିତ୍ୱ ଦିଆଯାଇଛି। ରୋଟେସନ୍ ଭିତ୍ତିରେ ଏମାନେ ସ୍ଥିତି ଉପରେ ନଜର ରଖିବେ। ନେରେଡ଼ିବାଲସା, ଫାଟୁସିନେରୀ ଓ ଫଗୁଣ ସିନେରୀ ମେଡିକାଲ୍ କ୍ୟାମ୍ପ ଓ ଜନ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। କୋଟିଆରେ ଆନ୍ଧ୍ରର ନିର୍ବାଚନୀ ଗତିବିଧିକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଦେଖାଦେଇଥିବା ବେଳେ ଏହି ଘଟଣା ପୁଣିଥରେ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ବଢ଼ାଇଛି।

You might also like