ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ କଲେଜ ଛାତ୍ରୀ ମୃତ୍ୟୁ
ଭୁବନେଶ୍ୱର (ରାଜ୍ୟ କାହାଣୀ )ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଛି। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଝିଅର ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ, ସନ୍ତୋଷୀଙ୍କୁ ଗତକାଲିଠାରୁ ସାଧାରଣ ଜ୍ୱର ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଆଜି ସକାଳେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ ଏକ ଇଞ୍ଜେକ୍ସନ ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ହିଁ ସନ୍ତୋଷୀଙ୍କ ମୃତ୍ୟୁ ଘଟିଛି । ଡାକ୍ତରଙ୍କ ଅବହେଳା ଯୋଗୁଁ ସେମାନେ ନିଜ ଝିଅକୁ ହରାଇଲେ ବୋଲି ବାପା ଗୋପାଳ ବେହେରା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ।ଏହାପରେ ଗୋଳାପୋଖରୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଓ ସମ୍ପର୍କୀୟ ମେଡିକାଲରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଜଣେ ଉଦୀୟମାନ ଛାତ୍ରୀଙ୍କର ଏଭଳି ଅକାଳ ବିୟୋଗକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ସାଧାରଣ ଜ୍ୱର ପାଇଁ ଆସିଥିବା ଝିଅର ଜୀବନ କିଭଳି ଚାଲିଗଲା, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିବାର ଲୋକେ ଦୋଷୀ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ପୋଲିସ କର୍ମଚାରୀ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ବେଳେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।