ଇସ୍ରାଏଲରେ ସରକାର ଗଠନ ନେଇ ଅଚଳାବସ୍ଥା! ପୁଣି ନିର୍ବାଚନ ନା ଗଠନ ହେବ ଅପ୍ରତ୍ୟାଶିତ ମେଣ୍ଟ ସରକାର?

ଇସ୍ରାଏଲ ରାଜନୀତି ଏବେ ଏକ ଜଟିଳ ସମୟରେ ଆସି ଛିଡ଼ା ହୋଇଛି। ସଂସଦରେ ବହୁମତ ପାଇଁ ଟଣାଓଟରା ଚାଲିଛି । କିଏ ସରକାର ଗଠନ କରିବ ତାହାର ସ୍ପଷ୍ଟ ଚିତ୍ର ନାହିଁ । ନିର୍ବାଚନକୁ ନେଇ ଚର୍ଚ୍ଚା କେବଳ ଇସ୍ରାଏଲ ନୁହେଁ ସାରା ବିଶ୍ବର ରାଜନୈତିକ ମହଲରେ ମଧ୍ୟ ଜୋର ଧରିଛି। ୧୨୦ ଆସନ ବିଶିଷ୍ଟ ଇସ୍ରାଏଲ ସଂସଦରେ ସରକାର ଗଠନ ପାଇଁ ୬୧ଟି ଆସନର ସଂଖ୍ୟା ଆବଶ୍ୟକ ଥିବା ବେଳେ କୌଣସି ଗୋଟିଏ ଗୋଷ୍ଠୀ ପାଖରେ ମଧ୍ୟ ସ୍ପଷ୍ଟ ବହୁମତ ନାହିଁ। ନେତାନ୍ୟାହୁଙ୍କ ଗୋଷ୍ଠୀ ପାଖରେ ମୋଟ ୫୩ଟି ଆସନ ରହିଛି |ଫଳରେ, ଇସ୍ରାଏଲରେ ନୂତନ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ‘କ୍ନେସେଟ’ (ଇସ୍ରାଏଲର ସଂସଦ) ର ନବନିର୍ବାଚିତ ସଦସ୍ୟମାନେ ନଭେମ୍ବର ୧୦ରେ ଶପଥ ଗ୍ରହଣ କରିବେ।
ଶୁକ୍ରବାର, ଇସ୍ରାଏଲର କେନ୍ଦ୍ରୀୟ ନିର୍ବାଚନ କମିଟି ୨୬ତମ କ୍ନେସେଟ ପାଇଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି। ‘ଦ ଟାଇମ୍ସ ଅଫ ଇସ୍ରାଏଲ’ (The Times of Israel) ଅନୁଯାୟୀ, ଲିକୁଡ ଦଳ ୨୭ଟି ଆସନ ଜିତିଥିବା ବେଳେ ‘ୟେଶାର୍‌’ (Yeshar) ଦଳ ୨୧ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ, ‘ବି-ୟାଚାଦ’ (B’Yachad) ୧୨ଟି ଆସନ, ‘ଜଏଣ୍ଟ ଲିଷ୍ଟ’ (Joint List) ୧୧ଟି ଆସନ ଏବଂ ‘ଡେମୋକ୍ରାଟ୍ସ’ (Democrats) ତଥା ‘ରାମ’ (Ra’am) ଉଭୟେ ୮ଟି ଲେଖାଏଁ ଆସନ ହାସଲ କରିଛନ୍ତି। ଏହା ବ୍ୟତୀତ, ‘ଇସ୍ରାଏଲ ବେଇଟେନୁ’ (Yisrael Beiteinu), ‘ୟୁନାଇଟେଡ ତୋରାହ ଜୁଡାଇଜିମ’ (United Torah Judaism) ଏବଂ ‘ଓତଜମା ୟେହୁଦିତ’ (Otzma Yehudit) ପ୍ରତ୍ୟେକ ୭ଟି ଲେଖାଏଁ ଆସନ ଜିତିଥିବା ବେଳେ ‘ଶାସ’ (Shas) ଏବଂ ‘ରିଲିଜିୟସ ଜିଓନିଜିମ’ (Religious Zionism) ୬ଟି ଲେଖାଏଁ ଆସନ ପାଇଛନ୍ତି।ଇସ୍ରାଏଲର ପ୍ରାୟ ୨୦% ଜନସଂଖ୍ୟା ଆରବ ନେତାଙ୍କ ଦ୍ବାରା ପରିଚାଳିତ ହେଉଛନ୍ତି । ଏଥର ଆରବ ଭୋଟରମାନେ ଏକଜୁଟ ହୋଇ ନେତାନ୍ୟାହୁଙ୍କ ବିରୋଧରେ ମତଦାନ କରିବାରୁ ‘ଜଏଣ୍ଟ ଲିଷ୍ଟ’ ଏବଂ ‘ରାମ’ ଦଳ ମିଶି ମୋଟ ୧୮ଟି ଆସନ ହାସଲ କରିଛନ୍ତି, ଯାହା ନେତାନ୍ୟାହୁଙ୍କ ମେଣ୍ଟକୁ ବହୁମତଠାରୁ ଦୂରରେ ରଖିବାରେ ବଡ଼ ଭୂମିକା ନେଇଛି। ନେତାନ୍ୟାହୁଙ୍କ ମେଣ୍ଟ ସମ୍ପୂର୍ଣ୍ଣ କଠୋର ରାଷ୍ଟ୍ରବାଦୀ ଏବଂ ଦକ୍ଷିଣପନ୍ଥୀ ବିଚାରଧାରା ଉପରେ କାର୍ଯ୍ୟ କରୁଥିବାରୁ ଆରବ ଅଂଚଳର ଭୋଟରମାନେ ଦେଶରେ ନୂଆ ସରକାର ଚାହୁଁଛନ୍ତି । ତେଣୁ ନେତାନ୍ୟାହୁ ସରକାର ଗଠନ ପାଇଁ ଚାହୁଁଥିଲେ ମଧ୍ୟ ସେମାନେ ରାଜନୈତିକ ଓ ଆଦର୍ଶଗତ କାରଣରୁ ଆରବ ଦଳଗୁଡ଼ିକର ସମର୍ଥନ ନେଇପାରୁ ନାହାନ୍ତି।

You might also like