ଦିଲ୍ଲୀ ଚାଲର ନେତୃତ୍ୱ ନେବେ ସ୍ୱାଭିମାନୀ ବିଜୟ ପଟ୍ଟନାୟକ

*ଭୁବନେଶ୍ୱର, ରାଜ୍ୟ କାହାଣୀ:* ସଂଶୋଧିତ MMDR ଆଇନକୁ ବିରୋଧ କରି ଦିଲ୍ଲୀ ଯିବେ ଶତାଧିକ ଓଡ଼ିଆ। ଓଡ଼ିଶା ସ୍ୱାଭିମାନ ମଞ୍ଚର ଆହ୍ୱାନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସ୍ୱାଭିମାନୀ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ ବର୍ଗର ସ୍ୱାଭିମାନୀ ଓଡ଼ିଆ ନିଜର ହକ୍ ଓ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଗେଇ ଆସିଛନ୍ତି।

ଏହି ପରିପ୍ରେକ୍ଷୀରେ ମଞ୍ଚ ପକ୍ଷରୁ ଏକ ୯ ଜଣିଆ ପରାମର୍ଶଦାତା କମିଟି ଘୋଷଣା କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ସ୍ୱାଭିମାନୀ ବିଜୟ ପଟ୍ଟନାୟକ ରହିଥିବା ବେଳେ ସଦସ୍ୟ ଭାବେ ମଞ୍ଚର ଆବାହକ ସୁଧାଂଶୁ ପାତ୍ର, ପୂର୍ବତନ ଖୋର୍ଦ୍ଧା ଏସପି ସ୍ୱାଭିମାନୀ ରାଜକିଶୋର ଦୋରା, ସ୍ୱାଭିମାନୀ ଇଂ. ଲଳିତ ମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକା ସୁପ୍ରିୟା ଦାସ, ଆଇନଜୀବୀ ସୁଚିସ୍ମିତା ସୁଆର ଏବଂ ମଞ୍ଚ ମୁଖପାତ୍ର ସ୍ୱାଭିମାନୀ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତା ଡିସେମ୍ବର ୭ ତାରିଖରେ ରାଜ୍ୟରୁ ଶତାଧିକ ଓଡ଼ିଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଦିଲ୍ଲୀରେ ୭ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଅନ୍ୟ ପ୍ରଭାବିତ ରାଜ୍ୟର ପ୍ରତିନିଧିମାନେ ମଧ୍ୟ ସାମିଲ ହେବେ। ଏହାର ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ବୋଲି ମଞ୍ଚର ଛାୟା ମନ୍ତ୍ରୀ ସ୍ୱାଭିମାନୀ ଅନିଲ ମିଶ୍ର ସୂଚନା ଦେଇଛନ୍ତି।

ଦିଲ୍ଲୀ ଯାତ୍ରାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଥିବା ବେଳେ ମଞ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ଜନ ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ଏହି ମିଶନରେ ସାମିଲ ହେବା ପାଇଁ ଇଚ୍ଛୁକ ବ୍ୟକ୍ତି *୯୯୩୮୦୪୫୦୧୧* ନମ୍ବରରେ ଯୋଗାଯୋଗ କରିପାରିବେ।

You might also like