ଭୁଟାନରେ ଫାଟିଲା ଗ୍ଲେସିଅର ଲେକ୍, ଭାରତରେ ବନ୍ୟା ଆଲର୍ଟ
ଭୁଟାନରେ ପ୍ରକୃତିର ଭୟଙ୍କର ତାଣ୍ଡବ । ହଠାତ୍ ଫାଟିଲା ବରଫ ପାହାଡ଼ ତଳେ ଥିବା ହ୍ରଦ । ଆଉ ତା’ପରେ ମାଡ଼ି ଆସିଲା ପ୍ରଖର ଜଳସ୍ରୋତ । ଏହି ଫ୍ଲାସ୍ ଫ୍ଲଡ୍ ବା ଆକସ୍ମିକ ବନ୍ୟାରେ ଭୁଟାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭାରତ ପାଇଁ ବଢ଼ିଛି ବିପଦ ଆଶଙ୍କା । ଭୁଟାନରୁ ଆସୁଥିବା ଜଳସ୍ରୋତ ଯୋଗୁଁ ପଶ୍ଚିମବଙ୍ଗ ଓ ଆସାମର ୫ଟି ଜିଲ୍ଲାକୁ ଜାରି ହୋଇଛି ବନ୍ୟା ସତର୍କତା । ସଙ୍କୋଶ ନଦୀ କୂଳରେ ରହୁଥିବା ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ। ଦିଆଯାଇଛି ଉଦ୍ଧାରକାରୀ ଦଳ ମୁତୟନ ହେବା ସହ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରାଯାଉଛି । ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଭୁଟାନର ଗାସା ଜିଲ୍ଲାରେ ଥିବା ଶିନ୍ତାଫୁ ହ୍ରଦ ବା ଶିନ୍ତାଫୁ ତ୍ସୋରେ ହଠାତ୍ ଜଳସ୍ତର ବୃଦ୍ଧି ପାଇ ବନ୍ଧ ଉପରେ ଜଳ ପ୍ରବାହିତ ହୋଇଥିଲା । ଏହାପରେ ହ୍ରଦରୁ ବାହାରିଥିବା ଜଳ ତଳିଆ ଅଞ୍ଚଳକୁ ମାଡ଼ି ଆସିଥିଲା । ଏହି ଆକସ୍ମିକ ବନ୍ୟାରେ ଭୁଟାନର ପୁନାଖା ଅଞ୍ଚଳରେ ଥିବା ସୋଲାର ଇରିଗେସନ୍ ଲିଫ୍ଟିଂ ସିଷ୍ଟମ୍ ବା ସୌରଚାଳିତ ଜଳସେଚନ ପ୍ରକଳ୍ପ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ପ୍ରକଳ୍ପଟି ବର୍ତ୍ତମାନ କାମ କରୁନାହିଁ । ଏହାସହ ପୁନାଖା-ଗାସା ରାଜପଥର ଏକ ଅଂଶରେ ମାଟି ଓ ପଥର ଜମା ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ଭୁଟାନରେ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁର ଖବର ମିଳିନାହିଁ ।ଭାରତୀୟ କର୍ତ୍ତୃପକ୍ଷଙ୍କ ଆକଳନ ଅନୁସାରେ, ଉପର ମୁଣ୍ଡରୁ ଆସୁଥିବା ପ୍ରବଳ ଜଳରାଶି ୬ରୁ ୮ ଘଣ୍ଟା ମଧ୍ୟରେ ଭାରତ-ଭୁଟାନ ସୀମାରେ ପହଞ୍ଚିପାରେ। ଏହାଦ୍ୱାରା ସଙ୍କୋଶ ନଦୀର ଜଳସ୍ତର ହଠାତ୍ ବଢ଼ିବା ସହ ନଦୀକୂଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ଘରଦ୍ୱାର, ଚାଷ ଜମି, ରାସ୍ତାଘାଟ, ପୋଲ ଏବଂ ଗୃହପାଳିତ ପଶୁଙ୍କ ପ୍ରତି ମଧ୍ୟ ବିପଦ ରହିଛି।