ଦଶହରାରେ ଅନୁକୂଳ ରହିବ ପାଗ, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବିଶେଷ ବର୍ଷା ସମ୍ଭାବନା ନାହିଁ । ପ୍ରତିଦିନ ଅଳ୍ପ କିଛି ଜାଗାରେ ହାଲୁକା କିମ୍ବା ଅସରାଏ ମଧ୍ୟମ ଧରଣର ବର୍ଷା ହୋଇପାରେ ।ତାମିଲନାଡୁର ଦକ୍ଷିଣ ଉପକୂଳରେ ଥିବା ଏକ ଘୂର୍ଣ୍ଣିବଳୟଠାରୁ ଓଡିଶା ଉପକୂଳ ନିକଟ ଉତ୍ତର-ପଶ୍ଚିମ ବଙ୍ଗୋପସଗର ପର୍ଯ୍ୟନ୍ତ ଏକ ବିସ୍ତୃତ ନିମ୍ନଚାପ ରେଖା ଲମ୍ବିଛି। ବାୟୁରେ ଜଳୀୟବାଷ୍ପ ଏକାଠି ହେବା ଯୋଗୁଁ ୧୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡିଶାରେ ଘଡ଼ଘଡି ସହ ବର୍ଷା ହୋଇପାରେ। ଆଜି ଦକ୍ଷିଣ ଓଡିଶାର ୫ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି। ଏହି ସବୁ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ।ଶୁକ୍ରବାର ୧୧ଟି ସହରର ତାପମାତ୍ରା ୩୪ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଥିଲା। ବାଲେଶ୍ୱରରେ ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡା ୩୪.୮, ସୋନପୁର ୩୪.୭, ଢେଙ୍କାନାଳ ୩୪.୫, ଚାନ୍ଦବାଲି ଓ ପୁରୀ ୩୪.୪, ଅନୁଗୋଳ ୩୪.୧, ତାଳଚେର, ମାଲକାନଗିରି, ଭଦ୍ରକ ଏବଂ ବରଗଡ଼ରେ ତାପମାତ୍ରା ୩୪ ଡିଗ୍ରୀ ଛୁଇଁଥିଲା। ତେବେ ଦାରିଙ୍ଗବାଡିରେ ସର୍ବନିମ୍ନ ୨୮.୫ ଡିଗ୍ରୀ ଏବଂ ଫୁଲବାଣୀରେ ୨୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।