ଭିଜିଲାନ୍ସ ଜାଲରେ କଟକ ଜଗତପୁରସ୍ଥିତ ମହାନଦୀ ନଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଭିଜିଲାନ୍ସ ଜାଲରେ କଟକ ଜଗତପୁରସ୍ଥିତ ମହାନଦୀ ନଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ତାଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଛି । ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ସଂଗ୍ରହ ହେଉଥିବା ସୂଚନା ଆଧାରରେ ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ଏଜି ଛକ ନିକଟରେ ତାଙ୍କୁ ଅଟକାଇଥିଲା ଭିଜିଲାନ୍ସ ।ଭଡ଼ା ଘର ଫ୍ଲାଟରୁ ମିଳିଲା ଆହୁରି ୧୪.୬୦ ଲକ୍ଷ ଟଙ୍କା ।ସେହିପରି ଶନିବାର ସକାଳେ ତାଙ୍କର ଭୁବନେଶ୍ୱର ଘାଟିକିଆ ସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସି ଭଡ଼ାଘର ଏବଂ ବଡ଼ଗଡ଼ ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ତେବେ ଭଡ଼ା ଫ୍ଲାଟରୁ ଆହୁରି ୧୪,୬୦,୦୦୦ ଟଙ୍କା ମିଳିଥିଲା । ଭିଜିଲାନ୍ସ ମୋଟ ୨୧,୮୮,୬୨୦ ଟଙ୍କା ଜବତ କରିଛି। ତେବେ ଜବତ ହୋଇଥିବା ଏହି ବିପୁଳ ଅର୍ଥର କୌଣସି ସନ୍ତୋଷଜନକ ହିସାବ ଦେଇ ପାରିନାହାନ୍ତି ।ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(ବି) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ବେଳେ ଜବତ ଟଙ୍କାର ଉତ୍ସ ନେଇ ଅଧିକ ତଦନ୍ତ ଜାରି ରହିଛି ।