ଆଶ୍ଚର୍ଯ୍ୟଜନକ ଘଟଣା, ୫ ବର୍ଷ ହେଲା ପାଣି ଭିତରେ ରହୁଛନ୍ତି ୧୬ ବର୍ଷୀୟ ଇକ୍‌ବାଲ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଛୋଟ ଗାଁ ବେଲଡାଙ୍ଗ ବାସିନ୍ଦା ଜଣେ ୧୬ ବର୍ଷୀୟ ବାଳକକୁ ନେଇ ସବୁଠି ଚର୍ଚ୍ଚା । ଇକବାଲ ଶେଖ ନାମକ ଏହି ବାଳକ ଦିନ-ରାତି ପୋଖରି ଭିତରେ ରହୁଛନ୍ତି । ଇକ୍‌ବାଲଙ୍କ କହିବା ଅନୁସାରେ, ପାଣିରୁ ବାହାରକୁ ଆସିଲେ ତାଙ୍କ ଶରୀରରେ ଜଳାପୋଡ଼ା ଭଳି ଅସୁବିଧା ଅନୁଭବ ହୁଏ। ଅନ୍ୟପଟେ ପାଣି ଭିତରକୁ ଗଲେ ସେ ଆରାମ ଅନୁଭବ କରନ୍ତି। ସର୍ବଦା ପାଣିରେ ବୁଡ଼ି ରହୁଥିବାରୁ ଗାଁ ଲୋକେ ଦେଉଥିବା ଚୁଡ଼ା ଓ ବିସ୍କୁଟ ଖାଇ ସେ ବଞ୍ଚୁଛନ୍ତି । ନିରନ୍ତର ପାଣିରେ ବୁଡ଼ି ରହିବା ଦ୍ୱାରା ତାଙ୍କ ଶରୀର ଧଳା ପଡ଼ିଗଲାଣି ଏବଂ ଚର୍ମ ଫୁଲିଗଲାଣି । ସେ ଭୀଷଣ ଥଣ୍ଡା ଓ କଫର ଶିକାର ହୋଇଛନ୍ତି । ଏଥିସହ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି ।ଇକବାଲଙ୍କର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ତାଙ୍କର ସାହାଯ୍ୟ ଲାଗି ଆଗେଇ ଆସିଛନ୍ତି । ଇକବାଲଙ୍କୁ ଦେଖିବାକୁ ପୋଖରି ପାଖରେ ଲୋକଙ୍କ ଭିଡ଼ ଜମୁଛି ।ପରିବାର ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ ହେଁ ସେଠାରେ ତାଙ୍କର ଚିକିତ୍ସା ପ୍ରତି ଧ୍ୟାନ ଦିଆଗଲା ନାହିଁ । ଆର୍ଥିକ ସମସ୍ୟା ଯୋଗୁ ଘରୋଇ ମେଡିକାଲରେ ତାଙ୍କ ଚିକିତ୍ସା ସମ୍ଭବ ହୋଇପାରୁନି । ତାଙ୍କ ଏଭଳି ଅବସ୍ଥା ପଛରେ କୌଣସି ସ୍ୱାସ୍ଥ୍ୟଗତ କାରଣ ରହିଛି କି ନାହିଁ, ତାହା ଡାକ୍ତରୀ ପରୀକ୍ଷା ପରେ ହିଁ ସ୍ପଷ୍ଟ ହୋଇପାରିବ।

You might also like