କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର(ରାଜ୍ୟକାହାଣୀ): କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଗତ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥି ତଥା ରାଜ୍ୟ କାଉନସିଲ ସଦସ୍ୟ ରଞ୍ଜନ ପଲେଇଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଶଙ୍ଖଭବନଠାରେ ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ଶ୍ରୀ ପଲାଇ ଓ ସମସ୍ତ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ଏହି ଅବସରେ ଶ୍ରୀ ପଲାଇ କହିଛନ୍ତି ଯେ, ବିଜୁ ଜନତା ଦଳରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ ମଧ୍ୟ ଗୋପାଳପୁର ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ବ୍ୟବହାର ଏବଂ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲି । କିନ୍ତୁ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରିବା ପରିବର୍ତ୍ତେ ଓଡିଶା ବିଜେପି ନେତାମାନେ ନିଜ ନିଜ ସ୍ୱାର୍ଥ ପାଇଁ ପରସ୍ପର ଭିତରେ ଲଢେଇ ଜାରି ରଖିଥିବା ଅନୁଭବ କରି ଦଳରୁ ଇସ୍ତଫା ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଲି । ମୋ ସହ କବିସୂର୍ଯ୍ୟନଗର ଏବଂ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ଗ୍ରହଣ କରିଥିବାରୁ ଶ୍ରୀ ପଲାଇ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ମୁଖପାତ୍ର ଡ.ପ୍ରିୟବ୍ରତ ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ମୁଖପାତ୍ର ତୁମ୍ବନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

twelve + 2 =