ଇରାନୀ ରାୟ ବିଜେଡିରେ ସାମିଲ

ଭୁବନେଶ୍ୱର(ରାଜ୍ୟକାହାଣୀ): ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ଇରାନୀ ରାୟ ରବିବାର ବିଜେଡିରେ ଯୋଗଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ନୟାଗଡ଼ରୁ ସେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୬୬,୬୦୦ ଭୋଟ ପାଇଥିଲେ । ଅରୁଣ ସାହୁଙ୍କୁ କଡ଼ା ଟକ୍କର ଦେଇ ପ୍ରାୟ ୧୫ ହଜାର ଭୋଟରେ ହାରିଥିଲେ । ନୟାଗଡ଼ ତଥା ରାଜ୍ୟ ବିଜେପିର ଏହି ଟାଣୁଆ ନେତ୍ରୀ କିନ୍ତୁ ଦଳୀୟ ଅବହେଳାର ଅଭିଯୋଗ ଆଣି ବିଜେପି ଛାଡ଼ିଥିଲେ ।
ଶଙ୍ଖ ଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ଇରାନୀ ରାୟ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ । ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁ, ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଥିଲେ । ବିଜେଡି ନେତାମାନେ ଇରାନୀ ତଥା ତାଙ୍କ ସମର୍ଥକମାନଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ସେମାନଙ୍କର ଯୋଗଦାନ ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ସଂଗଠନକୁ ଆହୁରି ମଜବୁତ କରିବ ବୋଲି ସେମାନେ କହିଥିଲେ ।
ଇରାନୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ନୟାଗଡ଼ରେ ବିଜେପି ପାଇଁ ବହୁତ କିଛି କରିଥିଲି । ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମୋତେ ବିଜେପିରେ ମିଳିଲାନି । ବିଜେପିରେ ମହିଳାଙ୍କୁ ସମ୍ମାନ ମିଳେ ନାହିଁ । ମୋ ସହିତ ବିଜେପି ଅନ୍ୟାୟ କରିଛି । ବିଜେପିର ଅନ୍ୟାୟ ବିରୋଧରେ ଲଢ଼ିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର‌୍ୟ୍ୟକ୍ରମ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁରୂପେ ତୁଲାଇବି ।
ବିଜେଡିରେ ତାଙ୍କୁ ଗ୍ରହଣ କରିଥିବାରୁ ସେ ଦଳର ସମସ୍ତ ନେତୃବୃନ୍ଦଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।ଏହି ମିଶ୍ରଣପର୍ବରେ ବାଲୁଗାଁ ମଣ୍ଡଳ ସଭାପତି ବିନୋଦ କୁମାର ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଭାତ କୁମାର ଷଡ଼ଙ୍ଗୀ, ଓଡ଼ଗାଁ ମଣ୍ଡଳ ସଭାପତି ଦୁର୍ଗାଚରଣ ପଣ୍ଡା, କୃଷକ ମୋର୍ଚ୍ଚା ସଭାପତି ଶିବଶଙ୍କର ମହାନ୍ତି, ଓଡ଼ଗାଁ ଏନଏସି ମଣ୍ଡଳ ସଭାପତି ପ୍ରକାଶ ଦାସ, ନୟାଗଡ଼ ଜିଲ୍ଲା ଉପସଭାପତି ବୀରେନ୍ଦ୍ର ନାୟକ, ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ମାନସ ରଞ୍ଜନ ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

five × 3 =