ଅବ୍ୟବହୃତ ଶିଳ୍ପ ଜମିକୁ ପୁନଃବିକାଶ କରିବେ ରାଜ୍ୟ ସରକାର

ଭୁବନେଶ୍ୱର(ରାଜ୍ୟକାହାଣୀ)ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ଲାଗି ସିଏମଓ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ସରକାର। ଏହି ସମୀକ୍ଷା ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହ ରାଜସ୍ବ ,ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ,ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା,ଇଡକୋ ପରିଚାଳନା ନିର୍ଦେଶକ ବି.ଏସ. ପୁନିଆ,କଟକ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ୫-ଟି ସଚିବ ପରାମର୍ଶ ଦେଇଥିଲେ ଯେ, ଏବେଠାରୁ ସମସ୍ତ ଶିଳ୍ପ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ କୁଶଳୀ ଶ୍ରମଶକ୍ତିର ଆବଶ୍ୟକତା ସହିତ ମ୍ୟାପିଂ କରାୟିବା ଉଚିତ ଏବଂ ସ୍ଥାନୀୟ ଶ୍ରମିକମାନଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଆଇଟିଆଇ ଏବଂ ପଲିଟେକନିକ ଭଳି ଦକ୍ଷତା ବିକାଶ ଅନୁଷ୍ଠାନକୁ ଟ୍ୟାଗ୍ କରାଯିବା ଉଚିତ।

ଝାରସୁଗୁଡ଼ାର ବ୍ରଜରାଜନଗରରେ ଜନଶୁଣାଣି ବେଳେ ଓରିଏଣ୍ଟ ପେପର ମିଲକୁ ଲିଜସୁତ୍ରରେ ଦିଆଯାଇଥିବା ଶିଳ୍ପାଞ୍ଚଳର ବିପୁଳ ପରିମାଣର ଜମି ଅବ୍ୟବହୃତ ହୋଇ ପଡ଼ିରହିଥିବା ନେଇ ସିଏମ୍ଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ଏହାର ଉତ୍ତମ ବ୍ୟବହାର କରାଯାଇ ପାରିବ ବୋଲି ସିଏମ୍ଓ କହିଥିଲେ। ଏହା ପରେ ଜିଲ୍ଲାପାଳ, ଝାରସୁଗୁଡା ଓ ଆଇଡିସିଓଙ୍କୁ ପଚାରି ବୁଝିଥିଲେ ଏବଂ ବୈଠକରେ ରିପୋର୍ଟ ଉପସ୍ଥାପନ କରିଥିଲେ।

ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଯୁକ୍ତି ଭିତ୍ତିକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଖାଲି ପଡ଼ିଥିବା ଜମିକୁ ବିନିଯୋଗ କରିବା ପାଇଁ ବିକଳ୍ପ ପନ୍ଥା ଖୋଜିବାକୁ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା ଓ ଇଡ୍କୋକୁ ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ସମ୍ପୃକ୍ତ ଅଞ୍ଚଳରେ ନିଯୁକ୍ତି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ଭାବ୍ୟ ଶିଳ୍ପଗୁଡ଼ିକୁ ଆମନ୍ତ୍ରଣ କରିବାକୁ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସେହିପରି ଚୌଦ୍ୱାରଠାରେ ଥିବା ଓଡ଼ିଶା ଟେକ୍ସଟାଇଲ୍ ମିଲର ୫୨୧ ଏକର ଖାଲି ପଡ଼ିଥିବା ଜମିକୁ ରାଜ୍ୟ ସରକାର ନିଯୁକ୍ତି ବାବଦ ସମସ୍ତ ବକେୟା ଅର୍ଥ ପ୍ରଦାନ କରିବା ପରେ ନିଜ ଅଧୀନକୁ ନେଇଛନ୍ତି। ଚୌଦ୍ୱାରରେ ଓଟିଏମ୍ ଜମିରେ ୟୁନିଟ୍ ସ୍ଥାପନ ପାଇଁ ଟେକ୍ସଟାଇଲ୍ ଓ ଲୋକୋମୋଟିଭ୍ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି।

ଏହି ଅଞ୍ଚଳରେ ସି.ଏମ୍.ଓ.ଙ୍କ ଜନଶୁଣାଣି ବୈଠକରେ ଜନ ସାଧାରଣଙ୍କ ପକ୍ଷରୁ ଖାଲି ପଡିଥିବା ଜମିରେ ଶ୍ରମ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁରୋଧ କରାଯାଇଥିଲା। ଇଡକୋ ଓ ଇପିକଲ ପକ୍ଷରୁ ରିପୋର୍ଟ ଉପସ୍ଥାପନ କରିଥିଲେ ଏବଂ ବିସ୍ତୃତ ଆଲୋଚନା ପରେ ଏକ ଆଦର୍ଶ ଶିଳ୍ପ ପାର୍କର ବିକାଶ ପାଇଁ ଖାଲି ଜମିର ଉପଯୁକ୍ତ ଅଂଶ ଇଡକୋକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏଥିସହିତ ଇପିକଲ ଜଣାଶୁଣା ଶିଳ୍ପ ନିବେଶକମାନଙ୍କୁ ଶିଳ୍ପ ପ୍ଲଟ ପ୍ରଦାନ କରିବ ଏବଂ ଆବଣ୍ଟନ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବ। ସ୍ଥାନୀୟ ଯୁବକମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ପର୍ୟ୍ୟାୟକ୍ରମେ ଇଣ୍ଡଷ୍ଟ୍ରିଆଲ ପାର୍କର ବିକାଶ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଆପ୍ରୋଚ୍ ରୋଡ୍, ପାଚେରୀ ନିର୍ମାଣ, ପାଣି ଓ ବିଦ୍ୟୁତ୍ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ।

ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କର ବିକାଶ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଇଡକୋର ଆକ୍ସନ ଟେକନ ରିପୋର୍ଟର ସମୀକ୍ଷା ବେଳେ ୩ଟି ବଡ ବଡ କମ୍ପାନୀ ଜମି ଅଧିଗ୍ରହଣ କରିଛନ୍ତି ଏବଂ ଖୁବଶୀଘ୍ର ସେମାନଙ୍କର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।

୨୦୧୩ ଅକ୍ଟୋବର ୧୫ସୁଦ୍ଧା ୟୁଟିଲିଟି କରିଡର କାର୍ଯ୍ୟ ଆରମ୍ଭ କରିବାକୁ ଇଡ଼କୋକୁ ନିର୍ଦ୍ଦେଶ ଦିଆଯାଇଥିଲା। ବରପାଲି ଏବଂ ହିଞ୍ଜିଳିରେ ବିକଶିତ ହେବାକୁ ଥିବା ଏମଏସଏମଇ ପାର୍କଗୁଡ଼ିକୁ ପ୍ରଥମେ ଅଫର ଦିଆୟିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.

five + 20 =