ଛାଡ଼ଖାଇରେ ଆମିଷ ବଜାରରେ ମାଛ-ମାଂସ କିଣିବାକୁ ଗ୍ରାହକଙ୍କ ଭିଡ଼

ଭୁବନେଶ୍ଵର (ରାଜ୍ୟ କାହାଣୀ) ସରିଲା ଧର୍ମ ମାସ, ଆଜି ଛାଡ଼ଖାଇ । ଆମିଷ ତିଅଣର ବାସ୍ନାରେ ମହକିବ ହାଣ୍ଡିଶାଳ ।ବୁଧବାରରେ ପଡ଼ିଛି ଛାଡ଼ଖାଇ । ସେଥିପାଇଁ ଟ୍ରକ, ପିକ୍‌ଅପ୍‌ରେ ଲଦା ହୋଇଆସୁଛି ମାଛ, କୁକୁଡ଼ା ଓ ଖାସି । ତେଣୁ ଜମାଣିଆ ଛାଡ଼ଖାଇ କରିବାକୁ ବେପାରୀଙ୍କଠାରୁ ନେଇ ଗ୍ରାହକଙ୍କ ଯାଏ ସମସ୍ତେ ପ୍ରସ୍ତୁତ ।କାର୍ତ୍ତିକ ମାସରେ ହବିଷ ବ୍ରତ ପାଳନ କରି ଆମିଷ ଖାଇ ନଥିବା ଲୋକେ ଆଜି ଛାଡ଼ଖାଇରେ ଆମିଷ କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି ।

ସେପଟେ ଚାହିଦା ବଢ଼ିଥିବାରୁ ଆମିଷ ସାମଗ୍ରୀର ଦର ମଧ୍ୟ ଅଧିକ ରହିଛି। ତଥାପି ଗ୍ରାହକଙ୍କ ଭିଡ଼ ଦେଖି ବେଶ୍ ଖୁସି ବ୍ୟବସାୟୀ ।ରାତି ଅଧରୁ ଆସି ଆମିଷ ହାଟରେ ଲମ୍ବା ଲାଇନ୍ ଲଗାଇଲେଣି ବେପାରୀ । ଦିନକ ପୂର୍ବରୁ ରେଟ୍ ଚାର୍ଟ ମଧ୍ୟ ଜାରି କରିଛି ଅଲ୍ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ।ପ୍ରତିବର୍ଷ ଭଳି ଏଥରକ ଛାଡ଼ଖାଇରେ ଅଧିକ ଚାହିଦାରେ ରହିଛି ଖାସି ମାଂସ । ସେଥିପାଇଁ ବିହାର ଓ ଉତ୍ତରପ୍ରଦେଶରୁ ଆସୁଛି ସ୍ୱତନ୍ତ୍ର ଖାସି(ଛେଳି) । ଯାହାର କେଜି ରହିଛି ୯୦୦ରୁ ୯୫୦ ଟଙ୍କା । ତା ସହ ବାରିପଦା, ନୟାଗଡ଼, ଯଶିପୁରରୁ ମଧ୍ୟ ଖାସି ମଗାଯାଇଛି ।

You might also like