ଉଦ୍ଘାଟିତ ହେଲା ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ
ଭୁବନେଶ୍ୱର, ରାଜ୍ୟ କାହାଣୀ:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ ବାଙ୍କୁଆଳ, ଭୁବନେଶ୍ୱରଠାରେ ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ୨୦୨୬ର ଶୁଭ ଉଦ୍ଘାଟନ ଉତ୍ସବ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା ମିଳିତ ଭାବେ ଏହି ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ପ୍ରଥମେ ଅତିଥିମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ପୂଜାର୍ଚ୍ଚନା କରି ମହୋତ୍ସବର ସଫଳ କାମନା କରିଥିଲେ। ଏହାପରେ ଫିତା କାଟି ଆନୁଷ୍ଠାନିକ ଭାବେ ମହୋତ୍ସବର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଅତିଥିମାନେ ଗୋମାତାଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ବୃକ୍ଷରୋପଣ କରି ଗୋସେବା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଥିଲା, ଯାହା ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସ୍ମୃତିକୁ ମନେ ପକାଇ ଦେଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବାଙ୍କୁଆଳ ଗ୍ରାମର ପିଲାମାନଙ୍କ ଦ୍ୱାରା ଏକ ମନୋରମ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା।
ଏହି ଉଦ୍ଘାଟନୀ ଉତ୍ସବରେ ମହୋତ୍ସବର ସାଧାରଣ ସମ୍ପାଦକ ଶ୍ରୀ କବିରାଜ ସ୍ୱାଇଁଙ୍କ ସମେତ ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଓଡ଼ିଆ ଜାତିର ପରମ୍ପରା, ସଂସ୍କୃତି, ଐତିହ୍ୟ ଓ ଭାଇଚାରାର ବାର୍ତ୍ତା ବହନ କରୁଥିବା ଏହି ମହୋତ୍ସବ ଅଞ୍ଚଳର ସାଂସ୍କୃତିକ ଗୌରବକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା ପ୍ରକାଶ କରା ଯାଉଛି |