ଭୁବନେଶ୍ୱରଠାରେ ଆୟକର ବିଭାଗ, ଓଡ଼ିଶା ପକ୍ଷରୁ ତିନିଦିନିଆ ‘ଟ୍ୟାକ୍ସପେୟର୍ସ ହବ୍, ୨୦୨୬’ ଉଦ୍ଘାଟିତ
ଭୁବନେଶ୍ୱର, ରାଜ୍ୟ କାହାଣୀ: ଆୟକର ସାକ୍ଷରତା ବୃଦ୍ଧି, କର ସମ୍ପର୍କିତ ସଚେତନତା ସୃଷ୍ଟି ଏବଂ ସ୍ୱେଚ୍ଛାକୃତ ଭାବେ କର ପରିପାଳନକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟକର ବିଭାଗ, ଓଡ଼ିଶା ପକ୍ଷରୁ ଆୟୋଜିତ ତିନିଦିନିଆ ଜନସମ୍ପର୍କ କାର୍ଯ୍ୟକ୍ରମ ‘ଟ୍ୟାକ୍ସପେୟର୍ସ ହବ୍, ୨୦୨୬’ ଆଜି ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାଠାରେ ଉଦ୍ଘାଟିତ ହୋଇଛି। ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ କରଦାତା, କର ପରାମର୍ଶଦାତା, ପେସାଦାର ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକମାନେ ଆୟକର ବିଭାଗ ସହ ସିଧାସଳଖ ଭାବେ ଭାବ ବିନିମୟ କରିବାର ସୁଯୋଗ ପାଇଛନ୍ତି।
ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ତଥା ପଶ୍ଚିମବଙ୍ଗ ଓ ସିକିମ୍ର ଆୟକର ପ୍ରଧାନ ମୁଖ୍ୟ ଆୟୁକ୍ତ ସୁରଭି ବର୍ମା ଗର୍ଗ ଯୋଗଦେଇଥିଲେ। ଏହି ଅବସରରେ ସମ୍ବଲପୁର ଓ କଟକର ଆୟକର ମୁଖ୍ୟ ଆୟୁକ୍ତ ସରୋଜ କୁମାର ମହାପାତ୍ର, ଆଇଆର୍ଏସ୍ ଏବଂ ଭୁବନେଶ୍ୱରର ଆୟକର ତଦନ୍ତ ପ୍ରଧାନ ନିର୍ଦ୍ଦେଶକ ଡଃ ସନ୍ଦୀପ ଗୋଏଲ, ଆଇଆର୍ଏସ୍ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ଅନୁଭବ ମହାନ୍ତି ଏବଂ ଜାତୀୟ ହକି ଖେଳାଳି ଅମିତ ରୋହିଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ପାରମ୍ପରିକ ଦୀପ ପ୍ରଜ୍ୱଳନରୁ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାପରେ ଅତିଥିମାନଙ୍କ ଅଭିଭାଷଣ ଏବଂ ଆୟକର ବିଭାଗର ଓଡ଼ିଶା ଚାର୍ଜର ସଫଳତା ଓ ଉପଲବ୍ଧି ଉପରେ ଆଧାରିତ ଏକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ଅତିଥି ସୁରଭି ବର୍ମା ଗର୍ଗ ଫିତା କାଟି ବିଭିନ୍ନ ସେବା କିଓସ୍କଗୁଡ଼ିକର ଉଦ୍ଘାଟନ କରିଥିଲେ। ପରେ ଅତିଥିମାନେ ଲାଉଞ୍ଜ୍ ଓ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିଥିଲେ। ଏହି ଷ୍ଟଲ୍ଗୁଡ଼ିକରେ ପାନ୍/ଟାନ୍ ସମ୍ବନ୍ଧୀୟ ସେବା, ଇ-ଫାଇଲିଂ, ଟିଡିଏସ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ କରଦାତା ସେବା ସମ୍ପର୍କରେ ତତ୍କ୍ଷଣାତ୍ ସହାୟତା ଓ ମାର୍ଗଦର୍ଶନ ଯୋଗାଇ ଦିଆଯାଉଛି।
ଉଦ୍ଘାଟନୀ ଅଧିବେଶନରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ଡାକ୍ତର, ସମାଜସେବୀ, ଷ୍ଟାର୍ଟଅପ୍ ଉଦ୍ୟୋଗୀ, କଳାକାର ଏବଂ ବରିଷ୍ଠ କରଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଦିନର କାର୍ଯ୍ୟକ୍ରମରେ ଗଣନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ, ଯାଦୁ ପ୍ରଦର୍ଶନ, ନୁକ୍କଡ଼ ନାଟକ ଏବଂ ବିଶିଷ୍ଟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଡଃ ମନୋଜ ଫୋଗଲାଙ୍କ ଦ୍ୱାରା ‘କର ଛାଡ଼’ ବିଷୟ ଉପରେ ଏକ ବୈଷୟିକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି ତିନିଦିନିଆ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ FAST-DS, TDS ଏବଂ ଷ୍ଟାର୍ଟଅପ୍ ସମ୍ପର୍କିତ ବିଷୟ ଉପରେ ବୈଷୟିକ ଆଲୋଚନାଚକ୍ର ଆୟୋଜିତ ହେବ। ଶେଷ ଦିନ ନଭେମ୍ବର ୨୭ ତାରିଖରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ, କୁଇଜ୍ ଓ ବିତର୍କ ପ୍ରତିଯୋଗିତା ଆୟୋଜିତ ହେବ।
ଉଦ୍ଯାପନୀ ସମାରୋହରେ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି (ORERA)ର ଅଧ୍ୟକ୍ଷ ଅସିତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ OTVର ପରିଚାଳନା ନିର୍ଦ୍ଦେଶିକା ଜାଗୀ ମଙ୍ଗତ ପଣ୍ଡା ଏବଂ ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ଆୟକର ବିଭାଗ, ଓଡ଼ିଶା କରଦାତାଙ୍କ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା, ସ୍ୱେଚ୍ଛାକୃତ କର ପରିପାଳନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଦାୟିତ୍ୱପୂର୍ଣ୍ଣ କରଦାନର ଗୁରୁତ୍ୱ ସମ୍ପର୍କରେ ଜନ ସଚେତନତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।