ଡିସେମ୍ବର ୨୬,୨୭ରେ ହେବ ପୋଲିସ SI ପରୀକ୍ଷା
ଓଡ଼ିଶା ପୁଲିସ୍ ଏସ୍ଆଇ ନିଯୁକ୍ତି ପରୀକ୍ଷାକୁ ନେଇ ବଡ଼ ଅପଡେଟ୍ । ଡିସେମ୍ବର ୨୬ ଓ ୨୭ ତାରିଖରେ ହେବ CPSE-୨୦୨୪ର ଲିଖିତ ପରୀକ୍ଷା । ଓଏମ୍ଆର୍ ମୋଡ୍ରେ ଅନୁଷ୍ଠିତ ହେବ ପରୀକ୍ଷା । ପରୀକ୍ଷା ସୂଚୀ, ଆଡମିଟ୍ କାର୍ଡ ଡାଉନଲୋଡ୍ ଓ ନେଗେଟିଭ୍ ମାର୍କିଂକୁ ନେଇ ଗାଇଡ୍ଲାଇନ୍ ଜାରି କରିଛି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ।ସୂଚନା ଅନୁସାରେ, ଡିସେମ୍ବର ୨୬ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂରେ ଲାଙ୍ଗୁଏଜ୍ ବା ଭାଷା ପେପର୍ର ପରୀକ୍ଷା ଦେବେ ପ୍ରାର୍ଥୀ। ଏହା ସକାଳ ୧୦ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ଏହି ପେପର୍ ପାଇଁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ସମୟ ମିଳିବ।
ସେହିଦିନ ଦ୍ୱିତୀୟ ସିଟିଂରେ ଜେନେରାଲ୍ ଷ୍ଟଡିଜ୍ ବା ସାଧାରଣ ଅଧ୍ୟୟନ ପେପର୍ର ପରୀକ୍ଷା ହେବ। ଏହି ପରୀକ୍ଷା ଅପରାହ୍ନ ୧ଟା ୩୦ ମିନିଟ୍ରେ ଆରମ୍ଭ ହୋଇ ୪ଟା ୩୦ ମିନିଟ୍ରେ ଶେଷ ହେବ। ଜେନେରାଲ୍ ଷ୍ଟଡିଜ୍ ପେପର୍ ପାଇଁ ମୋଟ ତିନି ଘଣ୍ଟା ସମୟ ରହିବ।ଡିସେମ୍ବର ୨୭ ତାରିଖରେ କେବଳ ଷ୍ଟେସନ୍ ଅଫିସର୍ (ଫାୟାର୍ ସର୍ଭିସ୍) ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ବିଜ୍ଞାନ ପୃଷ୍ଠଭୂମି ଥିବା ସମ୍ପୃକ୍ତ ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ। ଏହା ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ।
ତେଣୁ ୨୭ ତାରିଖର ପରୀକ୍ଷା ସମସ୍ତ SI ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଷ୍ଟେସନ୍ ଅଫିସର୍ (ଫାୟାର୍ ସର୍ଭିସ୍) ପଦ ପାଇଁ ସମ୍ପୃକ୍ତ ପ୍ରାର୍ଥୀମାନେ ଏହି ପେପର୍ରେ ଅଂଶଗ୍ରହଣ କରିବେ।ପରୀକ୍ଷାରେ ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ ୧ ମାର୍କ ମିଳିବ। ଭୁଲ୍ ଉତ୍ତର ପାଇଁ ୦.୨୫ ମାର୍କ କଟିବ। ଉତ୍ତର ନଦେଇଥିବା ପ୍ରଶ୍ନ ପାଇଁ କୌଣସି ମାର୍କ କଟିବ ନାହିଁ।ପ୍ରାର୍ଥୀମାନେ କମିଶନଙ୍କ ଅଫିସିଆଲ୍ ୱେବସାଇଟ୍ https://ousssc.odisha.gov.in ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ପ୍ରିଣ୍ଟ କରିବେ। ଏଥିପାଇଁ ତାରିଖ ପରେ ଘୋଷଣା କରାଯିବ । ପରୀକ୍ଷା କେନ୍ଦ୍ରକୁ ଆଡମିଟ୍ କାର୍ଡର ହାର୍ଡ କପି ସହିତ ମୂଳ ଆଧାର କାର୍ଡ କିମ୍ବା ବିକଳ୍ପ ପରିଚୟପତ୍ର ନେବା ବାଧ୍ୟତାମୂଳକ ।