ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ଆଶ୍ଵସ୍ତି, ଅନାସ୍ଥା ପ୍ରକ୍ରିୟାକୁ ବେଆଇନ ଘୋଷଣା କଲେ ହାଇକୋର୍ଟ

ଭୁବନେଶ୍ଵର (ରାଜ୍ୟ କାହାଣୀ )ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟଙ୍କ ଆଶ୍ଵସ୍ତି । ଅନାସ୍ଥା ପ୍ରକ୍ରିୟାକୁ ନେଇ ଚାମେଲୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଅନାସ୍ଥା ପ୍ରକ୍ରିୟାକୁ ବେଆଇନ ଘୋଷଣା କରିଛନ୍ତି ।ଚାମେଲୀ ଓଝାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବର ପ୍ରକ୍ରିୟାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ଆବେଦନର ଶୁଣାଣି କରି କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଫଳରେ ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଅସିଦ୍ଧ ହୋଇଛି ।ତିଖିରି ପଞ୍ଚାୟତରେ ମୋଟ ୨୨ ଜଣ ୱାର୍ଡମେମ୍ବର ଥିବାବେଳେ ୨୧ ଜଣ ଚାମେଲୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିଲେ । ଜୁଲାଇ ୨୭ ତାରିଖରେ ଅନାସ୍ଥା ଭୋଟିଂ ପାଇଁ ପ୍ରକ୍ରିୟା ଧାର୍ଯ୍ୟ ହୋଇଥିବାବେଳେ ସେପ୍ଟେମ୍ବର୧୩ ତାରିଖରେ ଭୋଟିଂ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ଗ୍ରାମପଞ୍ଚାୟତ ଆଇନର ଧାରା ୨୪ ଅନୁଯାୟୀ, ଅନାସ୍ଥା ପ୍ରସ୍ତାବ ପୂର୍ବରୁ ନୋଟିସ, ରିଜୋଲ୍ୟୁସନ ଓ ରିକ୍ୱିଜିସନର ନକଲ ସରପଞ୍ଚଙ୍କୁ ଦେବା ସହ ୧୫ ଦିନର ସମୟ ବ୍ୟବଧାନ ଦେବାର ନିୟମ ରହିଛି ।ଏହି ସମୟ ମଧ୍ୟରେ ସରପଞ୍ଚ ନିଜ ପକ୍ଷ ରଖିବା ସହ ୱାର୍ଡମେମ୍ବରଙ୍କୁ ନିଜ ସପକ୍ଷରେ ଆସ୍ଥା ପ୍ରକାଶ କରିବାକୁ ଅନୁରୋଧ କରିପାରିବେ।କିନ୍ତୁ ଚାମେଲୀ ଓଝାଙ୍କୁ ରିଜୋଲ୍ୟୁସନ ଓ ରିକ୍ୱିଜିସନର ନକଲ ଦିଆଯାଇନଥିବା ତାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ।କେବଳ ନୋଟିସର ନକଲ ତାଙ୍କ ବାପାଙ୍କୁ ଦିଆଯାଇଥିବା ଏବଂ ଡାକ ଯୋଗେ ମଧ୍ୟ ପଠାଯାଇଥିବା ଦର୍ଶାଇଥିଲେ ଚାମେଲୀଙ୍କ ଓକିଲ ।

You might also like