ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ଚାଷୀଙ୍କୁ ଶୀଘ୍ର ମିଳିବ କ୍ଷତିପୂରଣ
ଭୁବନେଶ୍ବର ( ରାଜ୍ୟ କାହାଣୀ )ବାତ୍ୟା ଅର୍ଣ୍ଣବକୁ ନେଇ ବଢ଼ୁଛି ଚିନ୍ତା। ଆଜି ସନ୍ଧ୍ୟାରେ ମାଲକାନଗିରିରେ ପହଞ୍ଚିବ ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ସନ୍ଧ୍ୟା ସମୟରେ ଓଡ଼ିଶାରେ ପାଗ ଅଧିକ ଖରାପ ହେବାର ଆଶଙ୍କା ରହିଛି। ବାତ୍ୟାର ଗତିବିଧି ଏବଂ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଜାରି ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ତେବେ ୮୫ ପ୍ରତିଶତରୁ ଅଧିକ ସ୍ଥାନରେ ରାସ୍ତା ସଫା କରାଯାଇଥିବା ଏବଂ ୬୫ ପ୍ରତିଶତ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପିତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଏଯାଏଁ କୌଣସି ମୃତାହତ ହୋଇନଥିବା କହିବା ସହ ଲୋକଙ୍କୁ ବିଚଳିତ ନହେବାକୁ ଆଶ୍ୱାସନା ଦେଇଛନ୍ତି ମନ୍ତ୍ରୀ।ଅନ୍ୟପଟେ ଫସଲ ଓ ଘର କ୍ଷୟକ୍ଷତି ପାଇଁ ସରକାର ସହାୟତା ଦେବେ ବୋଲି କହି ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି ।ବର୍ଷାର ପରିମାଣକୁ ନେଇ ମନ୍ତ୍ରୀ କହିଛନ୍ତି, ସକାଳ ୮ଟା ସୁଦ୍ଧା ଗଜପତି ଜିଲ୍ଲାରେ ସର୍ବାଧିକ ୧୨୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜିଲ୍ଲାର ମୋହନାରେ ୧୮୩ ମିଲିମିଟର ବର୍ଷା ହୋଇଛି ।ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ୩୬୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୨୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସାରା ରାଜ୍ୟରେ ପ୍ରାୟ ୨ ହଜାର ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି ।