ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ ହରଦୀପ ସିଂହ ପୁରୀ, ପ୍ରାର୍ଥୀ ଘୋଷଣା କରିଛି ବିଜେପି
କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ନେଇ ଚାଲିଥିବା ରାଜନୈତିକ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ତାଙ୍କ ନାମକୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।ଏହି ଆସନଟି କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ.ମୁରୁଗନଙ୍କ ଇସ୍ତଫା କାରଣରୁ ଖାଲି ହୋଇଥିଲା। ଏହି ଉପନିର୍ବାଚନ ଲାଗି ନଭେମ୍ବର ୧୨ ତାରିଖରେ ଭୋଟ ଗ୍ରହଣ ଆୟୋଜିତ ହେବ। ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ କାର୍ଯ୍ୟକାଳ ନଭେମ୍ବର ମାସରେ ଶେଷ ହେଉଛି।ତେବେ ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ତାଲିକାରେ ୮ ନୂଆ ମୁହଁଙ୍କୁ ସାମିଲ କରିଥିଲା। ଏଣୁ ପୁରୀଙ୍କୁ ଦ୍ୱିତୀୟବାର ପ୍ରାର୍ଥୀ କରାଯାଇନଥିଲା। ଉତ୍ତରପ୍ରଦେଶର ସମସ୍ତ ୧୦ଟି ରାଜ୍ୟସଭା ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବିଜେପି ପ୍ରାର୍ଥୀଙ୍କୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଇଥିଲା। ଅନ୍ୟପଟେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗନ ତାମିଲନାଡୁ ରାଜନୀତିରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଓ ଉଚ୍ଚ ସଦନରୁ ଇସ୍ତଫା ଦେଇଥିଲେ।ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ନଭେମ୍ବର ୩ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ନଭେମ୍ବର ୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ନଭେମ୍ବର ୧୨ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।