ପ୍ରଲୋଭନ ଦେଖାଇ ୫ ଜଣଙ୍କୁ ବିବାହ ଅଭିଯୋଗ ! ଶେଷରେ ବନ୍ଧା ହେଲା ରସିକିଆ ସ୍ୱାମୀ

ଭୁବନେଶ୍ୱର ( ରାଜ୍ୟକାହାଣୀ )ରାଜଧାନୀରୁ ରସିକିଆ ସ୍ୱାମୀ ଗିରଫ । ଜଣଙ୍କୁ ନୁହେଁ ଚାରି ଚାରି ଜଣକୁ ବିବାହ କରି ନିର୍ଯାତନା ଦେଇଥିବା ଅଭିଯୋଗ । ମହିଳା ଥାନା ପୋଲିସ ଧରାପଡ଼ିଲେ ୫୫ ବର୍ଷୀୟ ଅଭିଯୁକ୍ତ ।ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋଠସାହି ଅଞ୍ଚଳର କୈଳାସଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ ଆସିଛି। ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ତାହା ଲୁଚାଇ ଚାରିଥର ବିବାହ କରିବା ସହ ସ୍ତ୍ରୀ ଓ ନାବାଳିକା ଝିଅଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତ ନିଜ ପ୍ରଥମ ବିବାହ ସମ୍ପର୍କରେ ତଥ୍ୟ ଲୁଚାଇ ଅନ୍ୟ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ତୃତୀୟ ପତ୍ନୀ ନିର୍ଯାତନା ସହି ନପାରି ଘର ଛାଡ଼ିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।ଅଭିଯୋଗକାରିଣୀ ଚତୁର୍ଥ ପତ୍ନୀଙ୍କ କହିବା ଅନୁଯାୟୀ, ବିବାହର ପ୍ରାୟ ଚାରି ବର୍ଷ ପରେ ସେ ଅଭିଯୁକ୍ତଙ୍କ ଅନ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଗତ ସେପ୍ଟେମ୍ବର ୩୦ ତାରିଖରେ ଅଭିଯୁକ୍ତ ତାଙ୍କ ଘରେ ପଶି ଝିଅର ଜନ୍ମଦିନ ପାଳନ କରିବାକୁ ଜିଦ୍ କରିଥିଲେ । ଏହାକୁ ବିରୋଧ କରିବାରୁ ସେ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ନାବାଳିକା ଝିଅକୁ ମାଡ଼ ମାରି ଏକ କୋଠରୀରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ପତ୍ନୀଙ୍କ ଇଚ୍ଛା ବିରୋଧରେ ଅସଦାଚରଣ ଓ ପୋଲିସରେ ଅଭିଯୋଗ କଲେ ଧମକ ଦେଇଥିବା ନେଇ ମଧ୍ୟ ଏତଲା ହୋଇଛି ।ଏହି ଘଟଣାରେ ଆହୁରି କେତେଜଣ ମହିଳା ପୀଡ଼ିତା ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପୋଲିସର ତଦନ୍ତ ଆଗକୁ ବଢ଼ିବା ସହ ଏହି ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବାର ଆଶା କରାଯାଉଛି।

You might also like