ଇନ୍ଦୋରରେ ପୁଣି ଜଳ ପ୍ରଦୂଷଣ ଆତଙ୍କ: ଦୂଷିତ ପାଣି ପିଇ ୨୫ ଅସୁସ୍ଥ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଳ ପ୍ରଦୂଷଣ ଜନିତ ସମସ୍ୟା ଥମିବାର ନାମ ନେଉନାହିଁ। , ଜିଲ୍ଲାର ମହୁ ତହସିଲ ମୁଖ୍ୟାଳୟର ପଟ୍ଟି ବଜାର ଅଞ୍ଚଳରେ ୧୦ ରୁ ୧୫ ଦିନ ମଧ୍ୟରେ ୧୯ ଜଣ ପିଲାଙ୍କ ସମେତ ପ୍ରାୟ ୨୫ ଜଣ ଜଣ୍ଡିସ, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାସିନ୍ଦାଙ୍କ ଅନୁଯାୟୀ, ଅଞ୍ଚଳର ଟ୍ୟାପ୍ରୁ ମଇଳା, ଦୁର୍ଗନ୍ଧଯୁକ୍ତ ଏବଂ କାଦୁଅ ପାଣି ବହିଯାଉଛି। ଫୁଟିବା ପରେ ମଧ୍ୟ ପାତ୍ରର ତଳ ଭାଗରେ ପଙ୍କ ଜମା ହେଉଛି।ଘଟଣା ସମ୍ପର୍କରେ ଖବର ପାଇ ଜିଲା କଲେକ୍ଟର ଶିବମ୍ ବର୍ମା ଗୁରୁବାର ବିଳମ୍ବିତ ରାତିରେ ହସ୍ପିଟାଲ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ଶୁକ୍ରବାର ସକାଳୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସର୍ଭେ ଆରମ୍ଭ କରିଛି ଏବଂ ଜଳର ନମୁନା ସଂଗ୍ରହ କରିଛି।

ଗତ ମାସ ଆରମ୍ଭରେ ଇନ୍ଦୋରର ଭାଗୀରଥପୁରା ଅଞ୍ଚଳରେ ସ୍ୱେରେଜ୍ ପାଣି ମିଶ୍ରିତ ପାନୀୟ ଜଳ ପିଇ ପ୍ରାୟ ୧୫ ଜଣ ପ୍ରାଣ ହରାଇଥିଲେ (ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ସଂଖ୍ୟା ୨୫)। ଏହି ମାମଲା ବର୍ତ୍ତମାନ ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାରଧୀନ ଅଛି। ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।ସେଠାକାର ବିଧାୟକ ମଧ୍ୟ ରାତି ପ୍ରାୟ ୯ଟା ସମୟରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ, ସେ ବାସିନ୍ଦାଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେ ପିଇବା ପୂର୍ବରୁ ପାଣି ଫୁଟାଇବାକୁ ମଧ୍ୟ ଅନୁରୋଧ କରିଥିଲେ। ସେ ପରାମର୍ଶ ଦେଇଥିଲେ ଯେ ଯଦି ପାନୀୟ ଜଳ ପାଇପଲାଇନ ଡ୍ରେନ୍ ରେ ଅଛି, ତେବେ ଏହାକୁ ବାହାର କରିଦିଆଯିବା ଉଚିତ।

You might also like