ସହରାଞ୍ଚଳରେ ଶିଶୁ ଶ୍ରମ ଓ ଶିଶୁ ଭିକ୍ଷାବୃତ୍ତି ଉଚ୍ଛେଦ ପାଇଁ ଓଡ଼ିଶାର ସମନ୍ୱିତ ପଦକ୍ଷେପ

ଭୁବନେଶ୍ୱର, ରାଜ୍ୟ କାହାଣୀ: ରାଜ୍ୟର ସହରାଞ୍ଚଳଗୁଡ଼ିକୁ ଶିଶୁ ଶ୍ରମ, ଶିଶୁ ଭିକ୍ଷାବୃତ୍ତି ଓ ଶୋଷଣମୁକ୍ତ କରିବା ସହ ଅସହାୟ ଓ ଅସୁରକ୍ଷିତ ଶିଶୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦଗୁଡ଼ିକୁ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି। ଶିଶୁ ଅଧିକାର ସୁରକ୍ଷା ପାଇଁ ଓଡ଼ିଶା ରାଜ୍ୟ ଆୟୋଗଙ୍କ ପରାମର୍ଶ ଆଧାରରେ ବିଭାଗ ସମସ୍ତ ମହାନଗର ନିଗମ ଆୟୁକ୍ତ ଓ ନିର୍ବାହୀ ଅଧିକାରୀମାନଙ୍କୁ ନିଜ ନିଜ ଜିଲ୍ଲା ପ୍ରଶାସନ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଛି।

ଏହି ପଦକ୍ଷେପର ଅଂଶସ୍ୱରୂପ, ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଆୟୋଜନ କରିବା ଏବଂ ଶିଶୁ ଶ୍ରମ ଓ ଶିଶୁ ଭିକ୍ଷାବୃତ୍ତି ଚିହ୍ନଟ, ନିରାକରଣ ଓ ଉଚ୍ଛେଦ ପାଇଁ ସହରଭିତ୍ତିକ ବ୍ୟାପକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ପୌରସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଅଧିକ ବିପଦପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନ ଯଥା ଟ୍ରାଫିକ୍ ଛକ, ରାସ୍ତାଘାଟ, ବଜାର, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ନିର୍ମାଣସ୍ଥଳୀଗୁଡ଼ିକରେ ନିୟମିତ ମିଳିତ ଯାଞ୍ଚ ଓ ଉଦ୍ଧାର ଅଭିଯାନ କରାଯିବ। ଏହି ଅଭିଯାନ ପୁଲିସ, ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ଗୁଡ଼ିକର ସମନ୍ୱୟରେ ପରିଚାଳିତ ହେବ।

ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଭାବେ ବିବେଚନା କରାଯାଇ ସେମାନଙ୍କୁ ଉପଯୁକ୍ତ ହସ୍ତକ୍ଷେପ ପାଇଁ ସମ୍ପୃକ୍ତ ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯିବ। ଆବଶ୍ୟକସ୍ଥଳେ ସେମାନଙ୍କୁ ଉପଯୁକ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ରଖିବା ସହ ଜୁଭେନାଇଲ୍ ଜଷ୍ଟିସ୍ ଆଇନର ବ୍ୟବସ୍ଥା ଅନୁଯାୟୀ ଔପଚାରିକ ଶିକ୍ଷା, ସ୍ୱାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଓ ମାନସିକ ପରାମର୍ଶ ଯୋଗାଇ ଦିଆଯିବ। ଶିଶୁମାନଙ୍କୁ ଶୋଷଣ କରୁଥିବା ସଂଗଠିତ ଭିକ୍ଷାବୃତ୍ତି ରାକେଟ୍ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ଉଦ୍ୟମରେ ମାନବ ଚାଲାଣ ନିରୋଧୀ ୟୁନିଟ୍ ଏବଂ ମହିଳାଙ୍କ ବିରୋଧରେ ଅପରାଧ ତଦନ୍ତ ୟୁନିଟ୍ ଭଳି ସମ୍ପୃକ୍ତ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ସାମିଲ କରାଯିବ।

ଏହି ସମସ୍ୟାର ସମାଧାନରେ ଜନସାଧାରଣଙ୍କ ସହଭାଗିତାର ଗୁରୁତ୍ୱକୁ ଉପଲବ୍ଧି କରି ପୌରସଂସ୍ଥାଗୁଡ଼ିକୁ ଜନସଚେତନତା ଅଭିଯାନ ଆୟୋଜନ କରିବାକୁ ମଧ୍ୟ କୁହାଯାଇଛି। ଶିଶୁମାନଙ୍କୁ କୌଣସି ପ୍ରକାର ଶ୍ରମରେ ନିୟୋଜିତ ନକରିବା ଏବଂ ସେମାନଙ୍କୁ ଭିକ୍ଷା ନଦେବା ନେଇ ଲୋକଙ୍କୁ ସଚେତନ କରାଯିବ। ଶିଶୁ ଶ୍ରମ, ଶିଶୁ ଭିକ୍ଷାବୃତ୍ତି ଓ ଶୋଷଣ ସମ୍ପର୍କିତ ଘଟଣା ଦେଖିଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ନାଗରିକମାନଙ୍କୁ ଉତ୍ସାହିତ କରାଯିବ, ଯାହାଦ୍ୱାରା ସମୟୋଚିତ ହସ୍ତକ୍ଷେପ ଓ ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ।

ଏହି ନିର୍ଦ୍ଦେଶକୁ ‘ଅତ୍ୟନ୍ତ ଜରୁରୀ’ ଭାବେ ଶ୍ରେଣୀଭୁକ୍ତ କରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ ଆୟୁକ୍ତ ଓ ନିର୍ବାହୀ ଅଧିକାରୀଙ୍କୁ ଏହାର କାର୍ଯ୍ୟାନ୍ୱୟନକୁ ବ୍ୟକ୍ତିଗତ ଭାବେ ତଦାରଖ କରିବା ସହ ନିୟମିତ ଅଗ୍ରଗତି ରିପୋର୍ଟ ନିର୍ଦ୍ଦେଶାଳୟକୁ ଦାଖଲ କରିବାକୁ କୁହାଯାଇଛି। ଏହି ରିପୋର୍ଟରେ ପ୍ରସ୍ତୁତ କାର୍ଯ୍ୟଯୋଜନା, ଯାଞ୍ଚ ଓ ଉଦ୍ଧାର ଅଭିଯାନ ସହ ଶିଶୁମାନଙ୍କ ଥଇଥାନ ପାଇଁ ନିଆଯାଇଥିବା ପଦକ୍ଷେପର ବିସ୍ତୃତ ବିବରଣୀ ରହିବ।

ଏହି ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଶିଶୁ ସୁରକ୍ଷା କ୍ଷେତ୍ରରେ ପୌରସଂସ୍ଥାଗୁଡ଼ିକର ଭୂମିକାକୁ ଅଧିକ ସୁଦୃଢ଼ କରିବା ସହ ଓଡ଼ିଶାର ସହରାଞ୍ଚଳର ପ୍ରତ୍ୟେକ ଶିଶୁ ଯେପରି ଶୋଷଣମୁକ୍ତ, ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ ଶୈଶବ ଲାଭ କରିପାରିବ, ତାହା ସୁନିଶ୍ଚିତ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।

You might also like