ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ବଡ଼ ପଦକ୍ଷେପ ;ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ କାମରେ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର ( ରାଜ୍ୟକାହାଣୀ )ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ । ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ କାମରେ ମିଳିବ ଆଶ୍ୱସ୍ତି ।ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ଗର୍ଭବତୀ ମହିଳା ପୋଲିସଙ୍କୁ ସନ୍ତାନ ଜନ୍ମ ପୂର୍ବରୁ ଓ ପରେ ଡ୍ୟୁଟି କ୍ଷେତ୍ରରେ ଆବଶ୍ୟକ ସୁବିଧା ଦିଆଯିବ। ମହିଳା ପୋଲିସଙ୍କ ଅଭିଯୋଗ ଶୁଣିବା ପାଇଁ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ଏଥିସହ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ବର୍ଷକୁ କିଛି ଦିନ ଅତିରିକ୍ତ ଛୁଟି ବ୍ୟବସ୍ଥା ନେଇ ସୂଚନା ରହିଛି । ଏହାସହିତ ମହିଳା ପୋଲିସଙ୍କ ପ୍ରି ଏବଂ ପୋଷ୍ଟ ପ୍ରେଗନେନ୍ସି କେୟାର ପୋଲିସ ବିଭାଗ ନେବ । ଅନ୍ୟପଟେ ମହିଳା ଅଫିସରଙ୍କୁ କଠିନ କାମ ଦିଆଯିବ ନାହିଁ ।ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ କାଜୁଆଲ୍ ଲିଭ୍ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଯୋଗ୍ୟ ମହିଳା ପୋଲିସ କର୍ମଚାରୀଙ୍କୁ ଆବେଦନ ଅନୁସାରେ ଦେବାକୁ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ କୁହାଯାଇଛି ।ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ପୃଥକ ଶୌଚାଳୟ, ବିଶ୍ରାମଗୃହ ଓ ପୋଷାକ ପରିବର୍ତ୍ତନ କକ୍ଷ ସୁନିଶ୍ଚିତ କରିବା ସହ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାତିରେ ପାଟ୍ରୋଲିଂ ଏବଂ ଥାନାରେ ସିଡିଓ ଦିଆଯିବ ନାହିଁ । ଥାନା ବାବୁ ନ ଶୁଣିଲେ, ଗ୍ରୀଭାନ୍ସ ପାଇଁ ଏସଡିପିଓ, ଏସପିଙ୍କ ନିକଟକୁ ଯାଇ ପାରିବେ କିମ୍ବା ସେ ସିଧା ସଳଖ ଡିଜିଙ୍କ ପାଖରେ ଫେରାଦ ହୋଇ ପାରିବେ । ମହିଳା ପୋଲିସଙ୍କ କାର୍ଯ୍ୟ ପରିବେଶକୁ ଅଧିକ ଅନୁକୂଳ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମସ୍ୟାର ସମାଧାନ ଉପରେ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଇଛି ।

You might also like