YouTubeରେ ଭାରତରୁ ଅପଲୋଡ୍ ହେଉଥିବା ଭିଡିଓ ସବୁଠୁ ଅଧିକ ଡିଲିଟ୍

ଦୁନିଆର ସବୁଠାରୁ ବଡ଼ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ଭାରତରୁ ଅପଲୋଡ୍ ହେଉଥିବା ଭିଡିଓ ସବୁଠାରୁ ଅଧିକ ହଟାଇ ଦିଆଯାଉଛି। ଏପ୍ରିଲ୍‌ରୁ ଜୁନ୍ ୨୦୨୬ ମଧ୍ୟରେ ଭାରତରୁ ଅପଲୋଡ୍ ହୋଇଥିବା ୩୪.୪ ଲକ୍ଷ ଭିଡିଓକୁ YouTube ନିଜ କମ୍ୟୁନିଟି ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ହଟାଇ ଦେଇଛି। ଏହି ସଂଖ୍ୟା ପୂର୍ବ ତ୍ରୈମାସିକ ତୁଳନାରେ ୨୮ ପ୍ରତିଶତ ଅଧିକ। ଅର୍ଥାତ୍, ବିଶ୍ୱରେ ହଟାଯାଇଥିବା ପ୍ରତି ୧୦୦ଟି ଭିଡିଓ ମଧ୍ୟରୁ ପ୍ରାୟ ୩୧ଟି ଭିଡିଓ ଭାରତରୁ ଅପଲୋଡ୍ ହୋଇଥିଲା।YouTubeର ଟ୍ରାନ୍ସପାରେନ୍ସି ରିପୋର୍ଟ ଅନୁସାରେ, ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ସାରା ବିଶ୍ୱରେ ମୋଟ ୧.୧ କୋଟି ଭିଡିଓ ହଟାଯାଇଛି। ଏଥିରେ ୩୪.୪ ଲକ୍ଷ ଭିଡିଓ ସହ ଭାରତ ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଆମେରିକାର ୧୨.୪ ଲକ୍ଷ ଏବଂ ତୃତୀୟ ସ୍ଥାନରେ ଇଣ୍ଡୋନେସିଆର ୯.୨ ଲକ୍ଷ ଭିଡିଓ ରହିଛି।ବିଶ୍ୱସ୍ତରରେ ହଟାଯାଇଥିବା ଭିଡିଓ ମଧ୍ୟରୁ ୬୮.୨ ପ୍ରତିଶତ ଶିଶୁ ସୁରକ୍ଷା ସମ୍ପର୍କିତ ନିୟମ ଉଲ୍ଲଂଘନ ଯୋଗୁଁ ହଟାଯାଇଛି। ସେହିପରି ୯୮.୬ ପ୍ରତିଶତ ଭିଡିଓକୁ ପ୍ରଥମେ ଅଟୋମେଟେଡ୍ ସିଷ୍ଟମ୍ ଚିହ୍ନଟ କରିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଅନଲାଇନ୍ କଣ୍ଟେଣ୍ଟ ଉପରେ ନଜର ରଖିବାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଅଟୋମେଟିକ୍ କଣ୍ଟେଣ୍ଟର ଭୂମିକା ବଢ଼ୁଛି।କେବଳ ୟୁଟ୍ୟୁବ୍ ର ନିଜସ୍ୱ ନିୟମ ନୁହେଁ, ଭାରତରେ ସରକାରୀ ସଂସ୍ଥା ଓ ଅଦାଲତଙ୍କ ପକ୍ଷରୁ ଆସୁଥିବା କଣ୍ଟେଣ୍ଟ ହଟାଇବା ଦାବିରେ ମଧ୍ୟ ୟୁଟ୍ୟୁବ୍ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗୁଗୁଲ୍ର ଟ୍ରାନ୍ସପାରେନ୍ସି ରିପୋର୍ଟ ଅନୁସାରେ, ଜାନୁଆରୀରୁ ଜୁନ୍ ୨୦୨୬ ମଧ୍ୟରେ ଭାରତରୁ ଗୁଗୁଲ୍କୁ ମୋଟ ୪,୦୦୬ଟି କଣ୍ଟେଣ୍ଟ ହଟାଇବା ଅନୁରୋଧ ମିଳିଥିଲା। ଏଥିମଧ୍ୟରୁ ୩,୩୯୯ଟି ଅନୁରୋଧ କେବଳ ୟୁଟ୍ୟୁବ୍ ସହ ଜଡ଼ିତ ଥିଲା।ଭାରତରୁ ଆସିଥିବା ୪,୦୦୬ଟି ଅନୁରୋଧ ମଧ୍ୟରୁ ୨,୮୭୦ଟି ଅର୍ଥାତ୍ ପ୍ରାୟ ୭୨ ପ୍ରତିଶତ ଅନୁରୋଧ ପୋଲିସ ପକ୍ଷରୁ ଆସିଥିଲା। ସେହିପରି ୬୯୫ଟି ଅନୁରୋଧ ଅଦାଲତଙ୍କ ପକ୍ଷରୁ ହୋଇଥିଲା। ଏହି ଅନୁରୋଧଗୁଡ଼ିକରେ ସବୁଠୁ ଅଧିକ ଥର ମାନହାନିର ଅଭିଯୋଗ ଉଠାଯାଇଥିଲା। ମୋଟ ୨,୧୩୦ଟି ଅନୁରୋଧରେ କଣ୍ଟେଣ୍ଟକୁ ମାନହାନିକାରକ ଦର୍ଶାଇ ହଟାଇବାକୁ ଦାବି କରାଯାଇଥିଲା।

You might also like