ବଦଳିଲା ପିୟୁସିସି ବୈଧତା ନିୟମ: ଏଣିକି ୬ ବର୍ଷରେ ଥରେ କରିବାକୁ ହେବ ରିନ୍ୟୁ
ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ(ପିୟୁସିସି) ସାର୍ଟିଫିକେଟର ବୈଧତା ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର। ଏଥିରେ ନୂଆ ବିଏସ-ଭିଆଇ(BS-VI-) ଅନୁପାଳନକାରୀ ଗାଡ଼ିଗୁଡ଼ିକର ପିୟୁସିସି ରିନ୍ୟୁ କରିବାର ଅବଧିକୁ ବଢ଼ାଇ ଦିଆଯାଇଛି। ହେଲେ ପୁରୁଣା ଗାଡ଼ିଗୁଡ଼ିକ ଅବଧି କମାଯାଇଛି।ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ରେ ସଂଶୋଧନ କରାଯାଇଛି । ନଭେମ୍ବର ୧୩ ତାରିଖରେ ଏହି ସଂଶୋଧନ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି | ନୂଆ ନିୟମ ଅନୁସାରେ, ୬ ବର୍ଷର ପୁରୁଣା ପ୍ରାଇଭେଟ ବିଏସ-ଭିଆଇ ଗାଡ଼ିଗୁଡିକୁ ଏଣିକି ପ୍ରତି ୩ ବର୍ଷରେ ଥରେ ପିୟୁସିସି ରିନ୍ୟୁ କରିବେ। ସେହିପରି ୬ ବର୍ଷରୁ ଅଧିକ କିନ୍ତୁ ୧୦ ବର୍ଷରୁ କମ ଗାଡ଼ିଗୁଡ଼ିକୁ ପ୍ରତିବର୍ଷ ପିୟୁସିସି ରିନ୍ୟୁ କରିବାକୁ ହେବ। ଆଉ ଯେଉଁଗୁଡ଼ିକ ୧୦ ବର୍ଷରୁ ଅଧିକ ପୁରୁଣା ସେଗୁଡ଼ିକୁ ପ୍ରତି ୬ ମାସରେ ପିୟୁସିସି କରିବାକୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।ଦେଶବ୍ୟାପୀ ଏହି ନୂଆ ସଂଶୋଧନ ଲାଗୁ ହେବ। ତେବେ ଦିଲ୍ଲୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କାରଣ ଶୀତଦିନକୁ ଦେଖି ଏଠାରେ ପ୍ରଦୂଷଣ ନିୟମକୁ ଆହୁରି କଡାକଡି କରାଯାଇଛି। ଯେଉଁ ଗାଡି ପାଖରେ ପିୟୁସିସି ନଥିବା, ସେଗୁଡିକ ଇନ୍ଧନ ମିଳିବ ନାହିଁ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।ଯଦି ପୁରୁଣା ପିୟୁସି ସାର୍ଟିଫିକେଟ୍ର ଅବଧି ଶେଷ ହେବାର ଶେଷ ୧୦ ଦିନ ମଧ୍ୟରେ ନବୀକରଣ କରାଯାଏ, ତେବେ ନୂଆ ସାର୍ଟିଫିକେଟ୍ର ବୈଧତା ପୁରୁଣା ସାର୍ଟିଫିକେଟ୍ର ଶେଷ ତାରିଖରୁ ଆରମ୍ଭ ହେବ। କିନ୍ତୁ ପିୟୁସିର ଅବଧି ଶେଷ ହେବା ପରେ ନବୀକରଣ କଲେ, ନୂଆ ସାର୍ଟିଫିକେଟ୍ର ବୈଧତା ନବୀକରଣ ତାରିଖରୁ ଗଣନା କରାଯିବ।