ଟ୍ରମ୍ପଙ୍କ ଜୀବନ ପ୍ରତି ବିପଦ ! ହ୍ୱାଇଟ୍ ହାଉସ୍ ନିକଟରୁ ୩ ମାରଣାସ୍ତ୍ର ସହ ଯୁବକ ଗିରଫ
ପରାଜୟର ସ୍ବାଦ ଚାଖିବାର ୨ ଦିନ ହୋଇନି ଏବେ ଜୀବନ ଯିବାର ଭୟ । ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କୁ ଜୀବନରୁ ମାରିବାକୁ ହୋଇଥିଲା ପ୍ଲାନିଂ । ୱାଶିଂଟନ୍ ଡିସି ସ୍ଥିତ ହ୍ୱାଇଟ୍ ହାଉସ୍ ନିକଟରୁ ଏକ ବଡ଼ଧରଣର ସୁରକ୍ଷାଜନିତ ଘଟଣା ଏବେ ସାମ୍ନାକୁ ଆସିଛି।ହ୍ୱାଇଟ୍ ହାଉସ୍ ନିକଟରୁ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ଚୋରି ପିକଅପ୍ ଟ୍ରକ୍ ସହ ଜଣେ ୩୦ ବର୍ଷୀୟ ଭେନେଜୁଏଲା ନାଗରିକଙ୍କୁ ଗିରଫ କରିଛି ଆମେରିକାର ଗୁପ୍ତ ସେବା । ଅଭିଯୁକ୍ତଙ୍କ ଗାଡ଼ିରୁ ତିନୋଟି ବନ୍ଧୁକ ସମେତ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି।ଗୃହ ସୁରକ୍ଷା ବିଭାଗର ରିପୋର୍ଟ ମୁତାବକ, ଅଭିଯୁକ୍ତ ବ୍ୟକ୍ତିଙ୍କର ନାଁ ରୋନି ୟୋର୍ଡ୍ରିକ୍ସ ଗୁଆନିପା ଚ୍ରିନୋସ୍ ବୋଲି ଜଣାପଡ଼ିଛି । ସେ ଜଣେ ଭେନେଜୁଏଲା ନାଗରିକ ଏବଂ ଆମେରିକାରେ ବେଆଇନ ଭାବରେ ରହି ଆସୁଥିଲେ । ସେ ୨୦୨୪ରେ ଟେକ୍ସାସ୍ ସୀମା ଦେଇ ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିଲେ ବୋଲି ଜଣାପଡ଼ିଛି। ବିଭାଗର କହିବା ଅନୁଯାୟୀ, ଅଭିଯୁକ୍ତ ରୋନି ୟୋର୍ଡ୍ରିକ୍ସ ଗୁଆନିପା କ୍ରିନୋସ୍ ଅଧିକାରୀଙ୍କୁ କହିଥିଲେ ଯେ ତାଙ୍କ ମୁଣ୍ଡ ଭିତରେ କିଛି ଶବ୍ଦ ଶୁଣାଯାଉଛି ଏବଂ ତାଙ୍କୁ ୱାଶିଂଟନ୍ ଡିସି ଯାଇ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କୁହାଯାଉଛି। ତେବେ ଏହି ତଥ୍ୟ କୋର୍ଟରେ ଦାଖଲ ହୋଇଥିବା ଅପରାଧିକ ଅଭିଯୋଗପତ୍ରରେ ଉଲ୍ଲେଖ ନାହିଁ ।ଅନ୍ୟପଟେ, ଆମେରିକାର ଗୁପ୍ତ ସେବା ନିର୍ଦ୍ଦେଶକ ସିଆନ୍ କ୍ୟୁରାନ୍ ଏହି ଘଟଣାକୁ ହ୍ୱାଇଟ୍ ହାଉସ୍ ପରିସରରେ ବଢ଼ୁଥିବା ସୁରକ୍ଷା ବିପଦର ଏକ ଉଦାହରଣ ବୋଲି କହିଛନ୍ତି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଅଧିକାରୀମାନେ ତାଲିମପ୍ରାପ୍ତ ଥିବା ସେ କହିଥିବା ବେଳେ ସୁରକ୍ଷା ଘଟଣା ବୃଦ୍ଧିକୁ ନେଇ ଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି ।