ଆଜିଠୁ ଛଟ୍ ପୂଜା ଆରମ୍ଭ, ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜିଠୁ ଆରମ୍ଭ ହେଉଛି ଲୋକଆସ୍ଥାର ମହାପର୍ବ ଛଟ୍ ପୂଜା । ଚାରିଦିନ ଧରି ଚାଲିବ ଏହି ମହାନ ଧାର୍ମିକ ଅନୁଷ୍ଠାନ। ତେବେ ଛଟ୍ ମହାପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ନିଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସେ କହିଛନ୍ତି, ଲୋକଆସ୍ଥା ଓ ସୂର୍ଯ୍ୟ ଉପାସନାର ଚାରିଦିନିଆ ପବିତ୍ର ଅନୁଷ୍ଠାନ ଛଟ୍ ମହାପର୍ବର ଶୁଭାରମ୍ଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଜି ନହାୟ-ଖାୟ। ସମସ୍ତ ବ୍ରତଧାରୀଙ୍କୁ ମୋର ପ୍ରଣାମ। ଛଟୀ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ବୋଲି ସେ କାମନା କରିଛନ୍ତି । ସୂଚନାମୁତାବକ ଲୋକଆସ୍ଥା ଓ ସୂର୍ଯ୍ୟ ଉପାସନାର ମହାପର୍ବ ଛଟ୍ ପୂଜା ଆରମ୍ଭ। ଆଜି ଶୁକ୍ରବାରଠାରୁ ଚାରିଦିନିଆ ଏହି ମହାପର୍ବର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ନହାୟ-ଖାୟ ସହ ବ୍ରତ ଆରମ୍ଭ କରିଛନ୍ତି ବ୍ରତଧାରୀ। ଶନିବାର ଦିନ ଉପବାସ ରହି ଖର୍ଣ୍ଣାର ପ୍ରସାଦ ଗ୍ରହଣ କରିବେ ବ୍ରତଧାରୀ। ରବିବାର ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରାଯିବ। ସେହିପରି ସୋମବାର ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ସହ ଶେଷ ହେବ ଏହି ମହାପର୍ବ।