ଦୀର୍ଘ ୫ ମାସ ପରେ ଖୋଲିଲା କୁଳଡିହା ଅଭୟାରଣ୍ୟ
ଭୁବନେଶ୍ୱର ( ରାଜ୍ୟକାହାଣୀ )ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ କୁଳଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ପାଞ୍ଚ ମାସ ବନ୍ଦ ରହିବା ପରେ ବୁଧବାର ଦିନ ପର୍ଯ୍ୟଟକଙ୍କ ପାଇଁ ପୁନର୍ବାର ଖୋଲିଛି।ନୀଳଗିରି ଉପଖଣ୍ଡ ଅଧୀନ କୁଳଡ଼ିହା ଅଭୟାରଣ୍ୟ ବର୍ଷାଋତୁ ପାଇଁ ଜୁନ ୧୫ରୁ ବନ୍ଦ ରହିଥିଲା । ପର୍ଯ୍ୟଟକମାନେ ପ୍ରାକୃତିକ ଶୋଭାରାଜି, ବୋଟିଂ, ବିଭିନ୍ନ ବନ୍ୟଜନ୍ତୁ ସାଙ୍ଗକୁ ଜଙ୍ଗଲୀ ପରିବେଶରେ ରାତ୍ରି ରହଣୀର ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଣ ପାହାଡ଼ ଘେରା କୁଲଡିହା ଅଭୟାରଣ୍ୟ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ । ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଇ, ବଜ୍ରକାପ୍ତା, ମୟୂର ,ବେଲେରା ମୂଷା, କୁଟାରୀ, ଜଙ୍ଗଲୀ କୁକୁଡା ଓ ଅନ୍ୟ ବନ୍ୟପ୍ରାଣୀ ସାଙ୍ଗକୁ ବିଭିନ୍ନ ପ୍ରଜାତିର ଦେଶୀ ଏବଂ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥାଏ ।ଏହି ଅଭୟାରଣ୍ୟ ଖୋଲିବା ଫଳରେ ପର୍ଯ୍ୟଟକମାନେ ଏଠାରେ ଥିବା ସମୃଦ୍ଧ ଜୈବ ବିବିଧତାକୁ ଅନୁସନ୍ଧାନ କରିପାରିବେ ଏବଂ ବିଭିନ୍ନ ବନ୍ୟପ୍ରାଣୀଙ୍କୁ ସେମାନଙ୍କର ପ୍ରାକୃତିକ ଆବାସସ୍ଥଳୀରେ ଦେଖିବାର ସୁଯୋଗ ପାଇବେ। ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ସକାଳ ୯ ଟାରେ ଅଭୟାରଣ୍ୟର ଦ୍ୱାର ଖୋଲିବା ସହ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରାଯାଇଥିଲା।୫ ମାସଧରି ବନ୍ଦ ରହିବା କାରଣରୁ ପର୍ଯ୍ୟଟକମାନେ ଏଠାକୁ ଆସିପାରି ନଥିଲେ, କିନ୍ତୁ ବର୍ତ୍ତମାନ ଏହା ପୁନର୍ବାର ଖୋଲିବା ଫଳରେ ପର୍ଯ୍ୟଟକମାନେ କୁଳଡିହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବନ୍ୟପ୍ରାଣୀଙ୍କୁ ଉପଭୋଗ କରିବାର ସୁଯୋଗ ପାଇଛନ୍ତି।