ଭୁବନେଶ୍ୱରରେ ଏକାଠି ହେବେ ୩୯ଟି ରାଜ୍ୟ ଓ ନେପାଳର ୮୦୦ ଜନଜାତି ଖେଳାଳି

ଭୁବନେଶ୍ୱର, ରାଜ୍ୟ କାହାଣୀ: ଜନଜାତି ଯୁବ କ୍ରୀଡ଼ାବିତ୍‌ଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଅଖିଳ ଭାରତୀୟ କ୍ରୀଡ଼ା ପ୍ରତିଯୋଗିତା। ଆସନ୍ତା ଡିସେମ୍ବର ୩୧, ୨୦୨୬ରୁ ଜାନୁଆରୀ ୩, ୨୦୨୭ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଏହି ଚାରିଦିନିଆ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାରତର ୩୯ଟି ରାଜ୍ୟ ଓ ନେପାଳରୁ ପ୍ରାୟ ୮୦୦ ଜନଜାତି ବାଳକ ଓ ବାଳିକା ଅଂଶଗ୍ରହଣ କରିବେ। ଖେଳାଳିଙ୍କୁ ସହଯୋଗ କରିବା ପାଇଁ ପ୍ରାୟ ୨୦୦ ଜଣ ପ୍ରଶିକ୍ଷକ ଓ ସଂଗଠକ ନିୟୋଜିତ ହେବେ।

ବୁଧବାର ଭୁବନେଶ୍ୱରର ତେରାପନ୍ଥ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବନବାସୀ କଲ୍ୟାଣ ଆଶ୍ରମର ଉପସଭାପତି ତଥା ଅଖିଳ ଭାରତୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ୱାଗତ ସମିତିର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ଲାଟ୍ ଏହି ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ଡିସେମ୍ବର ୨୯ ତାରିଖରେ ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିବେ। ଡିସେମ୍ବର ୩୦ରେ ପଞ୍ଜୀକରଣ ଓ ଶୋଭାଯାତ୍ରା ଅଭ୍ୟାସ କରାଯିବ। ଡିସେମ୍ବର ୩୧ରେ ଉଦ୍‌ଘାଟନୀ ସମାରୋହ ସହ ପ୍ରତିଯୋଗିତା ଆରମ୍ଭ ହେବ ଏବଂ ଜାନୁଆରୀ ୩, ୨୦୨୭ରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଆୟୋଜକଙ୍କ ସୂଚନା ଅନୁଯାୟୀ, ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନୀ କିମ୍ବା ଉଦ୍‌ଯାପନୀ ସମାରୋହରେ ଯୋଗଦେବାର ସମ୍ଭାବନା ରହିଛି। ଏହି ଅବସରରେ ଓଡ଼ିଶାର ପ୍ରାୟ ୧୦ ହଜାର ଜନଜାତି ଭାଇଭଉଣୀ ମଧ୍ୟ ସାମିଲ ହେବେ ବୋଲି ଆଶା କରାଯାଉଛି।

ଏହି କ୍ରୀଡ଼ା ମହୋତ୍ସବରେ ତୀରନ୍ଦାଜୀ, ମାରାଥନ୍ ଓ ବିଭିନ୍ନ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ ହେବ। ସବ୍‌-ଜୁନିୟର ବାଳକ ଓ ବାଳିକା ବର୍ଗରେ ତୀରନ୍ଦାଜୀ ସହ ୧୦୦, ୪୦୦ ଓ ୮୦୦ ମିଟର ଦୌଡ଼, ୪×୧୦୦ ମିଟର ରିଲେ, ଲମ୍ବଡିଆଁ ଓ ଗୋଲାଫିଙ୍ଗା ପ୍ରତିଯୋଗିତା ରହିଛି। ମାରାଥନ୍‌ରେ ବାଳକଙ୍କ ପାଇଁ ୨୧ କିଲୋମିଟର ଓ ୪୨.୧୯୫ କିଲୋମିଟର ଦୌଡ଼ ଏବଂ ବାଳିକାଙ୍କ ପାଇଁ ୭ କିଲୋମିଟର ଓ ୧୪ କିଲୋମିଟର ଦୌଡ଼ ଆୟୋଜିତ ହେବ।

ଜୁନିୟର ବାଳକ ବର୍ଗରେ ୧୦୦, ୪୦୦, ୮୦୦ ଓ ୩୦୦୦ ମିଟର ଦୌଡ଼, ୪×୪୦୦ ମିଟର ରିଲେ, ଲମ୍ବଡିଆଁ ଓ ଗୋଲାଫିଙ୍ଗା ପ୍ରତିଯୋଗିତା ହେବ। ସେହିପରି ଜୁନିୟର ବାଳିକା ବର୍ଗରେ ୧୦୦, ୨୦୦, ୪୦୦ ଓ ୧୫୦୦ ମିଟର ଦୌଡ଼, ୪×୧୦୦ ମିଟର ରିଲେ, ଲମ୍ବଡିଆଁ ଓ ଗୋଲାଫିଙ୍ଗା ସାମିଲ ରହିଛି। ଏହି ପ୍ରତିଯୋଗିତା ଜନଜାତି ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସେମାନଙ୍କୁ ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ।

ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତାର ଆୟୋଜନ ପାଇଁ ଗଠିତ ସ୍ୱାଗତ ସମିତିର ସଦସ୍ୟମାନଙ୍କ ପରିଚୟ କରାଯାଇଥିଲା। ଏଥିରେ ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ସଂଗଠନ ସଚିବ ଶ୍ରୀ ଅତୁଲ ଜୋଗ, ଅଖିଳ ଭାରତୀୟ ସହ-ବ୍ୟବସ୍ଥା ପ୍ରମୁଖ ଶ୍ରୀ ବିଜୟ କୁମାରଜୀଙ୍କ ସମେତ ଓଡ଼ିଶା କଲ୍ୟାଣ ଆଶ୍ରମର ପ୍ରାନ୍ତୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଜନଜାତି ଯୁବ କ୍ରୀଡ଼ାବିତ୍‌ଙ୍କ ପ୍ରତିଭାର ବିକାଶ, ସେମାନଙ୍କୁ ଉତ୍ସାହିତ କରିବା ଏବଂ ବିଭିନ୍ନ ଅଞ୍ଚଳର ଖେଳାଳିଙ୍କ ମଧ୍ୟରେ ଏକତା ଓ କ୍ରୀଡ଼ା ମନୋଭାବ ବୃଦ୍ଧି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।

You might also like