ଏମକେସିଜିରେ ୨ଟି ମୁଣ୍ଡ ଥିବା ଶିଶୁ ଜନ୍ମ

ଭୁବନେଶ୍ୱର (ରାଜ୍ୟ କାହାଣୀ )ବ୍ରହ୍ମପୁରରୁ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ କନ୍ଧମାଳ ଜିଲାର ଜଣେ ମହିଳା ୨ଟି ମୁଣ୍ଡ ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁଟିର ୨ଟି ମୁଣ୍ଡ, ୨ଟି ହାତ, ୨ଟି ଗୋଡ଼, ୨ଟି ମେରୁଦଣ୍ଡ କିନ୍ତୁ ପେଟ ଓ ହୃଦୟ ଗୋଟିଏ । ଅର୍ଥାତ ଗୋଟିଏ ଶରୀର ଏବଂ ଗୋଟିଏ ହୃଦୟ ଥିବା ବେଳେ ଦୁଇଟି ସମ୍ପୂର୍ଣ୍ଣ ବିକଶିତ ମୁଣ୍ଡ ରହିଛି । ଏଭଳି ଏକ ଅସାଧାରଣ ଶିଶୁ ଜନ୍ମ ହେବା ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସର ତଥା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚା ଓ କୌତୂହଳ ସୃଷ୍ଟି ହୋଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ ରବିବାର ବିଳମ୍ବିତ ରାତିରେ ମହିଳା ଜଣକ ଏହି ବିରଳ ଶିଶୁଟିକୁ ଜନ୍ମ ଦେଇଥିଲେ । ଶିଶୁଟିର ଶରୀର ଗଠନ ଦେଖି ଉପସ୍ଥିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ​ଶିଶୁର ଓଜନ ରହିଛି ୨. ୬ କେଜି । ଜନ୍ମ ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇ ତୁରନ୍ତ ତାକୁ ଏମକେସିଜି ଶିଶୁ ରୋଗ ବିଭାଗ ଅନ୍ତର୍ଗତ ସ୍ୱତନ୍ତ୍ର ନବଜାତ ଯତ୍ନ ୟୁନିଟ୍ SNCUରେ ଭର୍ତ୍ତି କରାଯାଇଛି ।

You might also like