ବେଦାନ୍ତ ଆଲୁମିନିୟମ୍ର ‘ବେଦସୂତା’ ମହିଳା ବୁଣାକାର ମାନେ ଭୁବନେଶ୍ୱର ଫ୍ୟାଶନ୍ ୱିକ୍ରେ କମାଲ କରିଛନ୍ତି।ରାମ୍ପ୍ରେ ସମ୍ବଲପୁରୀ ବସ୍ତ୍ରର ପାରମ୍ପରିକ କଳା ଓ ଆଧୁନିକ ଫ୍ୟାଶନ୍ର ଅନନ୍ୟ ସମନ୍ୱୟ
ଭୁବନେଶ୍ୱର, ରାଜ୍ୟ କାହାଣୀ: ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଆଧୁନିକ ପୋଷାକ ଶୈଳୀ ସହ ଯୋଡ଼ିବା ଲକ୍ଷ୍ୟରେ ଭୁବନେଶ୍ୱର ଟାଇମ୍ସ ଫ୍ୟାଶନ୍ ୱିକ୍ ୨୦୨୬ରେ ନିଜର ମହିଳାକୈନ୍ଦ୍ରିକ ହସ୍ତତନ୍ତ ପ୍ରକଳ୍ପ ‘ବେଦସୂତା’ର କାରିଗରୀ ପ୍ରଦର୍ଶନ କରିଛି । ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ଏହି କମ୍ପାନୀ ଏକ ପୋଷାକ ଡିଜାଇନ୍ ସଂସ୍ଥା ସହଯୋଗରେ ବେଦସୂତାର ମହିଳା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ସମ୍ବଲପୁରୀ ଶାଢ଼ିକୁ ଆଧୁନିକ ଡିଜାଇନ୍ର ପୋଷାକରେ ରୂପାନ୍ତରିତ କରି ରାମ୍ପ୍ରେ ଉପସ୍ଥାପନ କରିଛି। ଏହି ଅବସରରେ ପ୍ରକଳ୍ପର ମହିଳା ହିତାଧିକାରୀମାନେ ମଧ୍ୟ ନିଜ ହାତରେ ତିଆରି ବସ୍ତ୍ର ପରିଧାନ କରି ରାମ୍ପ୍ରେ ଚାଲିଥିଲେ। ଏହାଦ୍ୱାରା ପାରମ୍ପରିକ ବୟନକଳା ପଛରେ ଥିବା ମହିଳା କାରିଗରମାନେ ଏକ ବୃହତ୍ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଥିଲେ।
ଏହି ପୋଷାକ ସମ୍ଭାରରେ ସମ୍ବଲପୁରୀ ବସ୍ତ୍ରର ସ୍ୱତନ୍ତ୍ର ଚିତ୍ରକଳା, ଆକର୍ଷଣୀୟ ରଙ୍ଗ ଓ ସୂକ୍ଷ୍ମ ବୁଣାକାମକୁ ଆଧୁନିକ ପୋଷାକ ଶୈଳୀ ସହ ମିଶ୍ରଣ କରାଯାଇଥିଲା। ପାରମ୍ପରିକ ଶାଢ଼ିଠାରୁ ଆରମ୍ଭ କରି ଆଧୁନିକ ଡିଜାଇନ୍ର ପୋଷାକ ପର୍ଯ୍ୟନ୍ତ, ଏହି ପ୍ରଦର୍ଶନୀ ଓଡ଼ିଶାର ହସ୍ତତନ୍ତ ପରମ୍ପରାର ବିବିଧତା ଓ ଆଧୁନିକ ଫ୍ୟାଶନ୍ ଜଗତରେ ଏହାର ବଢ଼ୁଥିବା ପ୍ରାସଙ୍ଗିକତାକୁ ପ୍ରତିପାଦିତ କରିଥିଲା। ଏଥିସହ ମହିଳା କାରିଗରମାନେ ନିଜର କଳାକୃତିକୁ ଫ୍ୟାଶନ୍ପ୍ରେମୀ, ଶିଳ୍ପ ବିଶେଷଜ୍ଞ ଓ ସମ୍ଭାବ୍ୟ ଗ୍ରାହକଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ।
ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସି. ଚନ୍ଦ୍ରୁ କହିଛନ୍ତି, “ଓଡ଼ିଶାର ପାରମ୍ପରିକ ହସ୍ତକଳା ପିଢ଼ି ପରେ ପିଢ଼ି ସଞ୍ଚିତ ଦକ୍ଷତା, ସୃଜନଶୀଳତା ଓ ସାଂସ୍କୃତିକ ଜ୍ଞାନର ପ୍ରତୀକ। ବେଦସୂତା ଭଳି ପଦକ୍ଷେପ ମାଧ୍ୟମରେ ଆମେ ମହିଳା କାରିଗରମାନଙ୍କୁ ସ୍ଥାୟୀ ଜୀବିକା ଅର୍ଜନର ସୁଯୋଗ ଦେବା ସହ ଏହି ଐତିହ୍ୟକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରୁଛୁ। ଭୁବନେଶ୍ୱର ଟାଇମ୍ସ ଫ୍ୟାଶନ୍ ୱିକ୍ରେ ସେମାନଙ୍କ ଅଂଶଗ୍ରହଣ ଦର୍ଶାଉଛି ଯେ, ତୃଣମୂଳ ସ୍ତରର ଉଦ୍ୟୋଗଗୁଡ଼ିକୁ ବୃହତ୍ ମଞ୍ଚ ମିଳିଲେ କିପରି ନୂଆ ସମ୍ଭାବନା ସୃଷ୍ଟି ହୁଏ। ମହିଳାଙ୍କ ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ସହାୟତା ଓ ସ୍ଥାନୀୟ କାରିଗରୀକୁ ବ୍ୟାପକ ବଜାରରେ ପହଞ୍ଚାଇବା ପାଇଁ ଆମେ ପ୍ରତିବଦ୍ଧ।”
ନିଜ ଅନୁଭୂତି ବାଣ୍ଟି ବେଦସୂତାର କାରିଗର ତଥା ରଘୁନାଥପାଲିର ବାସିନ୍ଦା ରିଙ୍କି ମେହେର କହିଛନ୍ତି, “ଆମେ ନିଜ ଘର ଓ ଗାଁରେ ସମ୍ବଲପୁରୀ ଶାଢ଼ି ବୁଣାଯାଉଥିବା ଦେଖି ବଡ଼ ହୋଇଛୁ। ଆମ ହାତରେ ତିଆରି ବସ୍ତ୍ରକୁ ସୁନ୍ଦର ଡିଜାଇନର୍ ପୋଷାକରେ ପରିଣତ କରାଯାଇ ଫ୍ୟାଶନ୍ ଶୋ’ରେ ପ୍ରଦର୍ଶନ କରାଯିବା ଆମ ପାଇଁ ଗର୍ବର ମୁହୂର୍ତ୍ତ ଥିଲା। ବର୍ଷ ବର୍ଷ ଧରି ଆମେ ଶିଖିଥିବା ଓ ଅଭ୍ୟାସ କରିଥିବା କୌଶଳ ଆମକୁ ଏପରି ସ୍ଥାନରେ ପହଞ୍ଚାଇପାରିବ, ଯାହା ଆମେ କେବେ କଳ୍ପନା କରିନଥିଲୁ। ଏହି ଅନୁଭୂତି ଆମ ଆତ୍ମବିଶ୍ୱାସ ବଢ଼ାଇଛି।”
୨୦୦୮ ମସିହାରେ ପ୍ରତିଷ୍ଠିତ ସୁଭଲକ୍ଷ୍ମୀ ସମବାୟ ସମିତିର ବ୍ୟାପକ ଜୀବିକା ବିକାଶ କାର୍ଯ୍ୟକ୍ରମର ଏକ ଅଂଶ ହେଉଛି ବେଦସୂତା। ବର୍ତ୍ତମାନ ଏହି ସମବାୟ ସମିତି ଝାରସୁଗୁଡ଼ା ଜିଲ୍ଲାର ୧୦୬ଟି ଗାଁରେ ୫୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୫,୫୦୦ରୁ ଅଧିକ ମହିଳାଙ୍କୁ ସହାୟତା ଯୋଗାଇ ଦେଉଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଉଦ୍ୟୋଗ ପ୍ରତିଷ୍ଠା, ଦକ୍ଷତା ବିକାଶ ଓ ବଜାର ସଂଯୋଗ ଉପରେ ଗୁରୁତ୍ୱ ଦେଇ ଏହା ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରୁଛି। ହସ୍ତତନ୍ତ ବସ୍ତ୍ର, ଟେରାକୋଟା ହସ୍ତକଳା, ଝୋଟ ଉତ୍ପାଦ ଏବଂ ଅନ୍ୟାନ୍ୟ ଗ୍ରାମୀଣ ଉଦ୍ୟୋଗ ମାଧ୍ୟମରେ ଏହି ସମିତି ସ୍ଥାନୀୟ ଅର୍ଥନୀତିରେ ମହିଳାଙ୍କ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରୁଛି।
ଏହି ଫ୍ୟାଶନ୍ ପ୍ରଦର୍ଶନୀ କେବଳ ହସ୍ତତନ୍ତ କଳାର ପ୍ରଚାରରେ ସୀମିତ ନୁହେଁ; ଏହା ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବା, ଦେଶୀୟ କାରିଗରୀର ସୁରକ୍ଷା ଏବଂ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ପ୍ରତି ବେଦାନ୍ତ ଆଲୁମିନିୟମ୍ର ବ୍ୟାପକ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନୀର ଝାରସୁଗୁଡ଼ା ଅଞ୍ଚଳର ସାମାଜିକ ବିକାଶ କାର୍ଯ୍ୟକ୍ରମ ୬୧ଟି ଗାଁର ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି। ଏହି କାର୍ଯ୍ୟକ୍ରମ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ମହିଳା ସଶକ୍ତୀକରଣ ଓ ସାମୁଦାୟିକ ଭିତ୍ତିଭୂମି ବିକାଶକୁ ଅନ୍ତର୍ଭୁକ୍ତ କରିଛି।
ତୃଣମୂଳ ସ୍ତରର ଉଦ୍ୟୋଗଗୁଡ଼ିକୁ ନୂତନ ବଜାର ଓ ମୁଖ୍ୟଧାରାର ମଞ୍ଚ ସହ ଯୋଡ଼ିବା ମାଧ୍ୟମରେ ବେଦାନ୍ତ ଆଲୁମିନିୟମ୍ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ଦିଗରେ ଅବଦାନ ରଖୁଛି। ଏହାଦ୍ୱାରା ପାରମ୍ପରିକ କୌଶଳ, ମହିଳାଙ୍କ ନେତୃତ୍ୱାଧୀନ ଉଦ୍ୟୋଗ ଓ ସ୍ଥାନୀୟ ସମୁଦାୟ ଦେଶର ଆର୍ଥିକ ବିକାଶରେ ଅଧିକ ସକ୍ରିୟ ଭୂମିକା ନିର୍ବାହ କରିବାର ସୁଯୋଗ ପାଉଛନ୍ତି।