ଗୁଜୁରାଟ UCCକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବହୁ ବିବାହ ଉପରେ ରୋକ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଧେୟକ ୨୦୨୬କୁ ତାଙ୍କର ଔପଚାରିକ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟରେ ଏହି ଆଇନକୁ ଲାଗୁ କରିବା ପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପୁରା ହୋଇଛି।୨୦୨୬ ମାର୍ଚ୍ଚ ୨୪ରେ ଗୁଜରାଟ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ନିଜର ସହମତି ପ୍ରଦାନ କରିଛନ୍ତି। ଏହା ସହିତ ଗୁଜରାଟ ସରକାର ଅକ୍ଟୋବର ୧, ୨୦୨୬ରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରି ଏହାକୁ ଆଇନରେ ପରିଣତ କରିଛନ୍ତି।ଏହି ଆଇନ ସମସ୍ତ ଧର୍ମର ନାଗରିକଙ୍କ ପାଇଁ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବ୍ୟକ୍ତିଗତ ମାମଲାରେ ସମାନ ନିୟମ ଲାଗୁ କରିବ। ଏହି ନିୟମ ଅନୁଯାୟୀ, ସମସ୍ତ ଧର୍ମର ଲୋକଙ୍କ ପାଇଁ ବିବାହର ୬୦ ଦିନ ମଧ୍ୟରେ ପଞ୍ଜୀକରଣ (Registration) କରିବା ବାଧ୍ୟତାମୂଳକ ଅଟେ। ନିୟମ ଉଲ୍ଲଂଘନ କଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ସେହିପରି ଏହି ଆଇନ ଅନୁଯାୟୀ କୌଣସି ବି ଧର୍ମର ବ୍ୟକ୍ତି ଗୋଟିଏରୁ ଅଧିକ ବିବାହ (Polygamy) କରିପାରିବେ ନାହିଁ।ଏହି ଆଇନ ଅନୁସାରେ ଲିଭ-ଇନ୍ ରିଲେସନ ସିପରୁ ଜନ୍ମିତ ସନ୍ତାନ ଆଇନତଃ ବୈଧ ହେବେ। ଯଦି ମହିଳାଙ୍କୁ ତାଙ୍କ ପାର୍ଟନର ଛାଡି ଦିଅନ୍ତି ତେବେ ତାଙ୍କୁ ଭରଣପୋଷଣ ମିଳିବାର ଆଇନଗତ ଅଧିକାର ରହିବ।ଏହି ଆଇନରେ ଏକରୁ ଅଧିକ ବିବାହ ଉପରେ ପୂର୍ଣ୍ଣ କଟକଣା ଲାଗିଛି। ଯଦି କୌଣସି ବ୍ୟକ୍ତି ଚାପ ଅଥବା ଜୋର ଜବରଦସ୍ତିରେ ବିବାହ କରନ୍ତି ତେବେ ଏଥି ପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର କଡ଼ା ପ୍ରାବଧାନ ରହିଛି। ଏହା ଛଡା ସକ୍ଷମ କୋର୍ଟଙ୍କ ଆଦେଶ ବିନା କୌଣସି ଅନ୍ୟ ଉପାୟରେ ନିଆଯାଇଥିବା ଛାଡପତ୍ର ବେଆଇନ ବୁଝାଯିବା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ନିର୍ଦ୍ଧାରଣ କରାଯାଇଛି।