ଭାରତ- ପାକିସ୍ତାନ ବିବାଦରେ ମଧ୍ୟସ୍ଥତା ନେଇ ପୁଣି ଟ୍ରମ୍ପଙ୍କ ଦାବି

ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଗତବର୍ଷ ହୋଇଥିବା ଯୁଦ୍ଧ ବନ୍ଦ କରିବାରେ ମଧ୍ୟସ୍ଥତା କରିଥିବା ନେଇ ଦାବି ଦୋହରାଇଛନ୍ତି। ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ବ୍ୟାପକ ଭାବରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପାଇଁ ସମ୍ପୂର୍ଣ୍ଣ ଶ୍ରେୟ ନେଇଥିଲେ। ଏହା ବ୍ୟତୀତ, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ତାଙ୍କ ଭାଷଣର ମଝିରେ ଠିଆ ହେବାକୁ କହିଥିଲେ ଏବଂ ପରେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ।ଗତବର୍ଷ ମେ’ ମାସରେ ଭାରତ- ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିବାବେଳେ ସେବେଠାରୁ ଟ୍ରମ୍ପ ଅନେକ ଥର ଯୁଦ୍ଧବିରତିରେ ମଧ୍ୟସ୍ଥତା କରିଥିବା ନେଇ ଦାବି କରିଛନ୍ତି। ଗତବର୍ଷ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ଭାରତର ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତ ‘ଅପରେସନ ସିନ୍ଦୂର’ ନାଁରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିଲା।ଟ୍ରମ୍ପ ଶାନ୍ତି ବୋର୍ଡ ଆଲୋଚନା ଅବସରରେ ଦାବି କରିଥିଲେ ଯେ, ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଏକ ଭୟଙ୍କର ପର୍ଯ୍ୟାୟକୁ ଚାଲି ଯାଇଥିଲା। ଆକାଶ ମାର୍ଗରେ ଦୁଇଦେଶ ମୁହାଁମୁହିଁ ‌‌ହୋଇଥିଲେ। ଅନେକ ବିମାନ ନଷ୍ଟ ହୋଇଥିଲା ।

ଏହି ଯୁଦ୍ଧ ସମୟରେ ୧୧ଟି ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା, ସେଗୁଡ଼ିକୁ ଖୁବ୍‌ ଦାମୀ ଜେଟ୍‌ ଥିଲା ବୋଲି ଟ୍ରମ୍ପ କହିଛନ୍ତି। ମୁଁ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଫୋନରେ ଯୋଗାଯୋଗ କରିଥିଲି। ମୁଁ ସେମାନଙ୍କୁ ଜାଣିଥିଲି। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ଭାବରେ ଜାଣିଥିଲି। ମୁଁ ସେମାନଙ୍କୁ କହିଥିଲି ତୁମେ ଯୁଦ୍ଧ ବନ୍ଦ ନକଲେ ମୁଁ ତୁମମାନଙ୍କ ସହିତ ବାଣିଜ୍ୟ ଚୁକ୍ତି କରିବି ନାହିଁ ଓ ଦୁଇ ଦେଶ ଯୁଦ୍ଧବିରତି ପାଇଁ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ ବୋଲି ଟ୍ରମ୍ପ କହିଥିଲେ ।

You might also like