ବଢ଼ିଲା ୨୦୨୭ ବାର୍ଷିକ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷାର ଫର୍ମ ପୂରଣ ଅବଧି
ଭୁବନେଶ୍ୱର ( ରାଜ୍ୟକାହାଣୀ )ବାତ୍ୟା ପାଇଁ ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି । ନଭେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ପୂର୍ବରୁ ନଭେମ୍ବର ୨୦ ତାରିଖକୁ ଫର୍ମ ପୂରଣର ଶେଷ ତାରିଖ ଭାବେ ଧାର୍ଯ୍ୟ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ବାତ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତିକୂଳ ପାଣିପାଗ ଓ ଯୋଗାଯୋଗ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଫର୍ମ ପୂରଣ କରିବାକୁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।ତେଣୁ ଯେଉଁ ଛାତ୍ରଛାତ୍ରୀମାନେ ଏଯାଏଁ ୨୦୨୭ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ କରିନାହାନ୍ତି, ସେମାନଙ୍କ ପାଇଁ ଏହା ଏକ ଅତିରିକ୍ତ ସୁଯୋଗ । ନଭେମ୍ବର ୩୦ ତାରିଖ ପୂର୍ବରୁ ଆବଶ୍ୟକ ପ୍ରକ୍ରିୟା ଶେଷ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି ।ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ସୂଚୀ ଅନୁସାରେ, ମାର୍ଚ୍ଚ ୧୨ (ଶୁକ୍ରବାର) ପ୍ରଥମ ଦିନ ପ୍ରଥମ ଭାଷା (ମାତୃଭାଷା) ପରୀକ୍ଷା ହେବ । ମାର୍ଚ୍ଚ ୧୫ (ସୋମବାର) ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ମାର୍ଚ୍ଚ ୧୭ (ବୁଧବାର) ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ ।ମାର୍ଚ୍ଚ ୧୮ ତାରିଖ (ଗୁରୁବାର) TL (ପ୍ରାକ୍ଟିକାଲ୍) ପରୀକ୍ଷା, ମାର୍ଚ୍ଚ ୧୯ ତାରିଖ (ଶୁକ୍ରବାର) ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୪ ତାରିଖ (ବୁଧବାର) ଦ୍ଵିତୀୟ ଭାଷା, ମାର୍ଚ୍ଚ ୨୫ ତାରିଖ (ଗୁରୁବାର) ତୃତୀୟ ଭାଷା (ହିନ୍ଦୀ), ମାର୍ଚ୍ଚ ୨୭ ତାରିଖ (ଶନିବାର) ତୃତୀୟ ଭାଷା (ସଂସ୍କୃତ, ଓଡ଼ିଆ) ପରୀକ୍ଷା ହେବ ।