ବାତ୍ୟା ଅକଭାନ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ପରେ ବିଧାୟକଙ୍କ ଉଦବେଗ

    ଭୁବନେଶ୍ୱର, ରାଜ୍ୟ କାହାଣୀ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ଅକଭାନ’ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହୋଇଛି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ଅକଭାନ ଲାଗି ବର୍ଷା ପବନ ନେଇ ଆଇଏମଡି ସତର୍କତା ଜାରିକରିଛି। ସବୁ ଉପକୂଳବର୍ତ୍ତୀ ଜିଲ୍ଲା ଏବେ ବିପଦରେ ଅଛି। ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସଭାର ଚଳିତ ଅଧିବେଶନକୁ ୨ରୁ ୩ ଦିନ ପାଇଁ ସ୍ଥଗିତ ରଖିବାକୁ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସମେତ ବରିଷ୍ଠ ନେତା ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

    ସେ ଉଦବେଗ ପ୍ରକାଶ କରି କହିଛନ୍ତି, ବାତ୍ୟା ‘ଅକଭାନ’ ଓଡ଼ିଶା ଉପକୂଳର ନିକଟତର ହେଉଥିବାରୁ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ରାଜ୍ୟର ସମସ୍ତ ବିଧାୟକଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ବିପଦ ସମୟରେ ଜନପ୍ରତିନିଧିମାନେ ବିଧାନସଭାରେ ନରହି ନିଜ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କ ପାଖରେ ଠିଆ ହେବା ଆବଶ୍ୟକ। ଏ ସମୟରେ ଜିଲ୍ଲାପାଳ ଉପକୂଳିଆ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ବୁଲୁଛନ୍ତି। ସ୍ଥାନୀୟ ଲୋକ ପ୍ରତିନିଧିମାନେ ବିଧାୟକଙ୍କୁ ଆସିବାକୁ କହୁଛନ୍ତି। ତେଣୁ ଏ ସମୟ ଭୁବନେଶ୍ୱରରେ ରହିବା ନୁହେଁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହିବା ଦିନ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି।

    ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମଡ଼ି) ସୂଚନା ଅନୁଯାୟୀ, ବାତ୍ୟା ‘ଅକଭାନ’ ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି। ଏହା ଗୋପାଳପୁରଠାରୁ ୫୩୦ କିଲୋମିଟର ଦକ୍ଷିଣ ଏବଂ ପୁରୀଠାରୁ ୫୯୦ କିଲୋମିଟର ଦକ୍ଷିଣରେ ଥିବାବେଳେ ନରସାପୁର ଓ କଳିଙ୍ଗପଟ୍ଟନମଠାରୁ ୪୪୦ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ୟାନମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଗୋପାଳପୁରର ପୂର୍ବ ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଏବଂ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିବା ଆଶଙ୍କା ଅଛି।

    ସେପଟେ ବିଧାନସଭାରେ ବିରୋଧୀ ବିଜେଡି ପକ୍ଷରୁ ପୂର୍ବ ବାତ୍ୟା ଓ ବନ୍ୟା ପରିଚାଳନାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ବିଧାୟକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ଯେ, ଗଞ୍ଜାମ ବନ୍ୟା ଏବଂ ସରକାରଙ୍କ ‘ଶୂନ୍ୟ ମୃତ୍ୟୁ’ ପ୍ରତିଶ୍ରୁତି ବିଫଳତା ଉପରେ ବିରୋଧୀ ଦଳ ଆଲୋଚନା ଦାବି କରୁଥିଲେ ମଧ୍ୟ ସରକାର ଏହାକୁ ଏଡ଼ାଇ ଚାଲିଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’ ପରେ ଏବେ ‘ଅକଭାନ’ ଆସୁଥିବାରୁ ଏହାର ପରିଣାମକୁ ସଠିକ୍ ଭାବେ ସାମ୍ନା କରିବାର ସମୟ ଆସିଛି, ନଚେତ୍ ‘ଅର୍ଣ୍ଣବ’ ବାତ୍ୟା ପରବର୍ତ୍ତୀ ସମୟରେ ଯେପରି ଲୋକଙ୍କ ଜୀବନହାନି ଘଟିଥିଲା, ପୁଣିଥରେ ସେହିଭଳି ପରିସ୍ଥିତି ଉପୁଜିପାରେ ବୋଲି ସେ ଚେତାଇ ଦେଇଛନ୍ତି।

    ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ୨୪ ବର୍ଷର ସ୍ଥିର ସରକାର ସମୟର ବିପର୍ଯ୍ୟୟ ପରିଚାଳନା କଥା ଉଲ୍ଲେଖ କରି ‘ଅର୍ଣ୍ଣବ’ ବାତ୍ୟା ପରିଚାଳନାରେ ବିଫଳତା ଓ ଗଞ୍ଜାମବାସୀଙ୍କ ଜୀବନହାନି ପ୍ରସଙ୍ଗ ଉଠାଇଛନ୍ତି। ସରକାର ଆଲୋଚନା ଦାବିକୁ ଅଗ୍ରାହ୍ୟ କରିବାରୁ ବିଜେଡି ସଦସ୍ୟମାନେ ଗୃହରେ ପ୍ରତିବାଦ ଜାରି ରଖିଥିବା ବେଳେ, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ତୁରନ୍ତ ବିଜେଡିର ଦାବି ଉପରେ ବିଚାର କରି ବିଧାନସଭା ସ୍ଥଗିତ ରଖନ୍ତୁ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି।

    You might also like