ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ନିଜ ପାଦ କାଟିଦେଲେ ଯୁବକ

ଉତ୍ତର ପ୍ରଦେଶର ଜଉନପୁର ଜିଲାରେ ବିଚଳିତ କରିଦେବା ଭଳି ଏକ ଘଟଣା ଘଟିଛି। ଜଣେ ୨୪ ବର୍ଷୀୟ ଯୁବକ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଜରିଆରେ ଆଡ୍‌ମିଶନ କରି ଏମ୍‌ବିବିଏସ୍‌ ସ୍ବପ୍ନ ସାକାର କରିବାକୁ ଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ଲାଗି ନିଜ ଗୋଡ଼କୁ କାଟିଦେଇଛନ୍ତି।ଡାକ୍ତର ହେବା ଆଉ ପ୍ରେମିକାଙ୍କୁ ବିବାହ କରିବା ପାଇଁ ସେ ଦିନରାତି ସ୍ୱପ୍ନ ଦେଖୁଥିଲେ। ଜେନେରାଲ ବର୍ଗରେ ନିଟ୍‌ ପ୍ରବେଶିକା ପରୀକ୍ଷାରେ ସଫଳ ହେବା କଷ୍ଟକର ବୋଲି ଜାଣିଥିଲେ। ସେଥିପାଇଁ ଦିବ୍ୟାଙ୍ଗ କୋଟାରେ ନିଟ୍‌ରେ ସଫଳ ହେବା ପାଇଁ ସେ ନିଜ ପାଦର ଆଙ୍ଗୁଠି କାଟି ଦେଇ ଦିବ୍ୟାଙ୍ଗ ପାଲଟିଥିଲେ। ସୂଚନାମୁତାବକ ଭାସ୍କର ଲାଇନ୍‌ ବାଜାର ଥାନା ଅଧୀନ ଖଲିପୁରର ବାସିନ୍ଦା। ସେ ଫାର୍ମାସିରେ ଡିପ୍ଲୋମା (ଡି. ଫାର୍ମା) ପାଠ୍ୟକ୍ରମ ଶେଷକରିଛନ୍ତି। ଏନ୍‌ଇଇଟି ପାଇଁ ପ୍ରସ୍ତୁତ ହେଉଥିବା ସୁରଜ ଜାନୁଆରୀ ୧୮ରେ ନିଜ ବାମ ଗୋଡ଼ର ପାଦକୁ କାଟି ଦେଇଥିଲେ। ତେବେ ଆକ୍ରମଣରେ ସେ ପାଦ ହରାଇଥିବା ନେଇ ଥାନାରେ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ମିଥ୍ୟା ହତ୍ୟା ଅଭିଯୋଗ କରିଥିଲେ। ପୋଲିସ ଏନେଇ ତଦନ୍ତ କରିବାବେଳେ ତାଙ୍କ ବୟାନରେ ତାଳମେଳ ରହୁ ନ ଥିବାରୁ ଶୁକ୍ରବାର ସତକଥା ଜାଣିବାକୁ ପାଇଛି। ୨୦୨୬ରେ କୌଣସି ପ୍ରକାରେ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଡ଼ କରି ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିଲେ। ଶେଷରେ ଭିନ୍ନକ୍ଷମ ପ୍ରମାଣପତ୍ର ହାତେଇବାକୁ ଯାଇ ସେ ଏପରି କାଣ୍ଡ ଭିଆଇଥିବା ସର୍କଲ ଅଫିସର (ସିଟି) ଗୋଲ୍ଡି ଗୁପ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଭୁଲ୍ ତଥ୍ୟ ପ୍ରଦାନ କରିବା ଓ ପ୍ରମାଣ ଲୁଚାଇଥିବା ଯୋଗୁ ତାଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

You might also like