ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି

ଘରୁ ବାହାରିଲେ ବିଭିନ୍ନ ନାମୀଦାମୀ କଂପାନୀର ଠିପି ବନ୍ଦ ପାଣି ବୋତଲ ଉପରେ ଆଖି ବନ୍ଦ କରି ଆମେ ଭରସା କରୁଛୁ। ତେବେ ୨୦ ଟଙ୍କାରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଥିବା ବୋତଲ ପାଣି କେତେ ଶୁଦ୍ଧ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ପାଣି ବୋତଲକୁ ହାଇ ରିସ୍କ ଫୁଡ୍ କ୍ୟାଟେଗୋରିରେ ସାମିଲ କରାଯାଇଛି। ସୂଚନାମୁତାବକ ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ ବିପଦପୂର୍ଣ୍ଣ ଖାଦ୍ୟ ଶ୍ରେଣୀରେ ତାଲିକାଭୁକ୍ତ କରିଛି। ବର୍ତ୍ତମାନ ଏହାର କଡ଼ା ଯାଞ୍ଚ ଏବଂ ଅଡିଟ୍ କରାଯିବ। ଏହି ଉତ୍ପାଦଗୁଡିକ ଉପରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS) ପ୍ରମାଣପତ୍ରର ଆବଶ୍ୟକତାକୁ ହଟାଇବା ପାଇଁ ସରକାର ଅକ୍ଟୋବରରେ ନିଷ୍ପତ୍ତି ନେଇଥିଲେ। ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ, କୌଣସି ବି ସାମଗ୍ରୀର ଲାଇସେନ୍ସ କିମ୍ବା ପଞ୍ଜୀକରଣ ପୂର୍ବରୁ ବାଧ୍ୟତାମୂଳକ ଭାବେ ଯାଞ୍ଚ କରାଯିବ। ଏହାପରେ  FSSAI ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। 

ତେବେ FSSAI ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ ଅଧିକ ବିପଦପୂର୍ଣ୍ଣ ଖାଦ୍ୟ ତାଲିକାଭୁକ୍ତ କରିବାର ଅର୍ଥ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ଅସୁରକ୍ଷିତ। ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ, ବରଂ FSSAIର ଏହି ପଦକ୍ଷେପ ପରେ ଆଗକୁ ଗ୍ରାହକଙ୍କ ନିକଟରେ ଉଚ୍ଚମାନର ଏବଂ ସୁରକ୍ଷିତ ପାଣି ପହଞ୍ଚିବ। ତେବେ ପ୍ଲାଷ୍ଟିକ ବୋତଲରେ ପ୍ୟାକ୍ ହୋଇଥିବା ପାଣିରେ ପ୍ଲାଷ୍ଟିକରେ ରହିଥିବା କେମିକାଲ୍ସ ଥିବା ସମ୍ଭାବନା ଅଧିକ । ଯାହା ଶରୀର ପାଇଁ କ୍ଷତିକାରକ। ଏଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ ମଧ୍ୟ ପାଣି ଦେଇ ଆମ ଶରୀରକୁ ଯିବାର ଆଶଙ୍କା ଥାଏ । ପ୍ଲାଷ୍ଟିକରେ ଥିବା ବିସଫିନୋଲ-ଏ କେମିକାଲ ଶରୀରରେ ହରମୋନ୍ ଅସନ୍ତୁଳନ, କ୍ୟାନସର ଏବଂ ଅନ୍ୟ ଗମ୍ଭୀର ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି।

Leave A Reply

Your email address will not be published.

3 × one =