ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜନ୍ମଦିନ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୭ ତମ ଜନ୍ମ ଜୟନ୍ତୀ। ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ସମ୍ବଲପୁରର ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁରେନ୍ଦ୍ର ସାଏ । ଚୌହାନ ବଂଶର ଏହି ବୀର ସନ୍ତାନ ମାତ୍ର ୧୮ ବର୍ଷ ବୟସରୁ ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ୧୮୨୭ରେ ସମ୍ବଲପୁରର ରାଜା ମହାରାଜା ସାଏଙ୍କ ମୃତ୍ୟୁ ପରେ, ବ୍ରିଟିଶ ସରକାର ଉତ୍ତରାଧିକାରୀ ନିୟମକୁ ଅବମାନନା କରି ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ ବସାଇଲେ । ଏହି ଅନ୍ୟାୟ ବିରୋଧରେ ସୁରେନ୍ଦ୍ର ସାଏ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ ।

ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର ଏକ ବଡ଼ ଅଂଶ କାରାଗାରରେ କଟିଥିଲା । ୧୮୪୦ ମସିହାରେ ବ୍ରିଟିଶ୍ ମାନେ ତାଙ୍କୁ ବନ୍ଦୀ କରି ହଜାରିବାଗ ଜେଲକୁ ପଠାଇ ଦେଇଥିଲେ । ଦୀର୍ଘ ୧୭ ବର୍ଷ କାଳ ସେ ସେଠାରେ ବନ୍ଦୀ ରହିଥିଲେ । ମାତ୍ର ୧୮୫୭ର ସିପାହୀ ବିଦ୍ରୋହ ସମୟରେ ବିଦ୍ରୋହୀମାନେ ଜେଲର କାନ୍ଥ ଭାଙ୍ଗି ତାଙ୍କୁ ମୁକ୍ତ କରିଥିଲେ । ଜେଲରୁ ବାହାରିବା ପରେ ସେ ପୁଣି ସମ୍ବଲପୁର ଫେରିଆସି ନିଜର ‘ଗରିଲା ଯୁଦ୍ଧ’ ଜାରି ରଖିଲେ । ୧୮୬୪ରେ ଜଣେ ଗୁଇନ୍ଦାର ବିଶ୍ୱାସଘାତକତା ଯୋଗୁଁ ସେ ଧରାପଡିଥିଲେ। ଗିରଫ ପରେ ମଧ୍ୟପ୍ରଦେଶର ଅସିରଗଡକିଲା ଜେଲକୁ ପଠାଯାଇଥିଲା। ସେଠାରେ ମୃତ୍ୟୁ ପର୍ୟ୍ୟନ୍ତ ୨୦ ବର୍ଷ ଜେଲରେ ରହିଥିଲେ ବୀର ସୁରେନ୍ଦ୍ର ସାଏ। ୧୮୮୪ ଫେବୃଆରି ୨୮ରେ ଜେଲରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଦେଶ ମାତୃକାର ଏହି ବୀର ସନ୍ତାନ।

You might also like