ବିଜେଡିରେ ଯୋଗଦେଲେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର(ରାଜ୍ୟକାହାଣୀ): ସବୁ କଳ୍ପନାଜଳ୍ପନାର ଘଟିଲା ଅବସାନ ଘଟାଇ ସିଧାସଳଖ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶ୍ରୀ ପାଣ୍ଡିଆନ୍ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ନବୀନ ନିବାସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ତଥା ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଦଳର ସବୁ ମହଲରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରଥମେ ପାଣ୍ଡିଆନଙ୍କୁ ବିଜେଡ଼ିକୁ ସ୍ୱାଗତ କରିଥିଲେ। ଦଳରେ ରହି ଶୃଙ୍ଖଳିତ ସଦସ୍ୟ ଭାବେ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଦଳ ମୁଖ୍ୟ ତଥା ସଭାପତିଙ୍କ ନିର୍ଦେଶରେ ଓଡ଼ିଶାର ଉନ୍ନତି ଲାଗି କାର୍ଯ୍ୟ କରିବେ ବୋଲି ମଧ୍ୟ ପାଣ୍ଡିଆ ଏହି ଅବସରରେ ପ୍ରକାଶ କରିଥିଲେ। ତାଙ୍କର ଦୀର୍ଘ ବର୍ଷର ପ୍ରଶାସନିକ ଅଭିଜ୍ଞତା ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରତ୍ୟକ୍ଷ ଭାବେ କାମ କରିବାର ଅନୁଭୂତି ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି ।

ବିଜେଡି କାର୍ଯ୍ୟାଳୟରେ ପାଣ୍ଡିଆନ

ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳକୁ ଏକାଧିକ ମନ୍ତ୍ରୀ, ବିଧାୟକ ଓ ସାଂସଦ ନବୀନ ନିବାସରେ ପହଞ୍ଚି ଯାଇଥିଲେ । ଶ୍ରୀ ପାଣ୍ଡିଆନ୍ ସେଠାରେ ପହଞ୍ଚିବା ପରେ ଏକ ବୈଠକ ହୋଇଥିଲା । ଠିକ୍ ୧୦ଟା ୧୫ ବେଳେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଶ୍ରୀ ପାଣ୍ଡିଆନ୍ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ବ୍ୟାଚ୍ ପିନ୍ଧାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ତାଙ୍କର ଆର୍ଶୀବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ଆର୍ଶୀବାଦ ଦେଇ ତାଙ୍କଠାରୁ ସଫଳତା ଆଶା ରଖିଥିଲେ । ସେଠାରେ କିଛି ସମୟର ଆଲୋଚନା ପରେ ଶ୍ରୀ ପାଣ୍ଡିଆନ୍ ଆଗଗାଡ଼ିର ନେତାମାନଙ୍କ ଗହଣରେ ଶଙ୍ଖ ଭବନ ଆସିଥିଲେ ।


ଶଙ୍ଖ ଭବନରେ ବିଜୁ ଓ ଛାତ୍ର ଦଳ ପକ୍ଷରୁ ଆୟୋଜିତ ଏକ ବିଶାଳ ରକ୍ତଦାନ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ୍ ଯୋଗଦେଇଥିଲେ । ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏଠାରୁ ସେ ସିଧାସଳଖ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ମା ତାରାତାରିଣୀ ପୀଠରେ ପହଂଚି ମାଙ୍କ ଦର୍ଶନ କରି ସେଠି ଉପସ୍ଥିତ ଥିବା ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ । ଏହାପୂର୍ବରୁ ଆଜି ବଡ଼ି ଭୋରରୁ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ତାଙ୍କର ରାଜନୈତିକ ଯାତ୍ରା ପାଇଁ ଆର୍ଶୀବାଦ ଭିକ୍ଷା କରିଥିଲେ ।
ଶ୍ରୀ ପାଣ୍ଡିଆନଙ୍କୁ ବିଜେଡିରେ କେଉଁ ଦାୟିତ୍ୱ ମିଳିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦଳର ସୁପ୍ରିମୋ ଖୁବ୍ ଶୀଘ୍ର ଏହା ଘୋଷଣା କରିବେ ବୋଲି ଆଶା କରାଯାଉଛି । ତେବେ ନିଶ୍ଚିତ ଭାବେ ସେ ଯେ ବିଜେଡିର ମଙ୍ଗୁଆଳ ହେବେ ଏଥିରେ କାହାର ସନ୍ଦେହ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସେଇ ଘୋଷଣାକୁ ଏବେ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.

5 × one =