ସୋଆ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି, ଦିବଙ୍ଗତ କବିଙ୍କୁ ‘ଆଲୋକ ବର୍ତିକା’

ଭୁବନେଶ୍ୱର(ରାଜ୍ୟକାହାଣୀ) : ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବରେ ବିଖ୍ୟାତ ଭାରତୀୟ ଇଂରାଜୀ କବି ଦିବଙ୍ଗତ ଜୟନ୍ତ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ବିଶିଷ୍ଟ କବି ଓ ଲେଖକମାନେ ତାଙ୍କୁ ଭାରତୀୟ ଇଂରାଜୀ କବିତା ଜଗତର ‘କିମ୍ବଦନ୍ତୀ’ ତଥା ‘ଆଲୋକ ବର୍ତିକା’ ଭାବେ ବର୍ଣ୍ଣନା କରିଛନ୍ତି ।
ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନି ଦିନିଆ ସାହିତ୍ୟ ଉତ୍ସବରେ ସାରା ଭାରତରୁ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଔପନ୍ୟାସିକ, ସମାଲୋଚକ, ଐତିହାସିକ ଓ କଳାକାର ଯୋଗ ଦେଇଥିବା ବେଳେ ଏକ ସ୍ୱତନ୍ତ୍ର ଅଧିବେଶନରେ ଗତ ଅଗଷ୍ଟ ୨୭ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ୯୫ ବର୍ଷ ବୟସ୍କ କବି ମହାପାତ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା ।
ଏହି ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ବିଶିଷ୍ଟ କବି ଶ୍ରୀମତି ସ୍ୱୀକ୍ରିତା ପଲ୍ କୁମାର କହିଥିଲେ ଯେ ଜୟନ୍ତ ମହାପାତ୍ର ତାଙ୍କ ପଛରେ ସାହିତ୍ୟର ଏକ ବିଶାଳ ଧାରା ଛାଡ଼ି ଚାଲି ଯାଇଛନ୍ତି ।
ଆରମ୍ଭରେ ତାଙ୍କ ଲେଖାକୁ ଭାରତରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନଥିଲା । ମାତ୍ର ପଶ୍ଚିମ ଦେଶଗୁଡ଼ିକରେ ତାଙ୍କ କାର‌୍ୟ୍ୟର ଅନେକ ପ୍ରଶଂସା କରାଯିବା ପରେ ସେ ଉପଯୁକ୍ତ ସମ୍ମାନ ପାଇଥିଲେ ବୋଲି କୁମାର କହିବା ସହ ସେ ଭାରତୀୟ ଇଂରାଜୀ କବିତା ଜଗତର ‘ଆଲୋକ ବର୍ତିକା’ ଥିଲେ ବୋଲି କହିଥିଲେ । ମହାପାତ୍ର ହେଉଛନ୍ତି ଇଂରାଜୀ କବିତା କ୍ଷେତ୍ରରେ ସାହିତ୍ୟ ଅକାଦେମୀ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ କବି । ଏଥି ସହିତ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ସ୍ୱତନ୍ତ୍ର ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅଧିବେଶନରେ ବିଶିଷ୍ଟ କବି ପ୍ରଫେସର ଅଶ୍ୱନୀ କୁମାର, ଦୁର୍ଗା ପ୍ରସାଦ ପଣ୍ଡା, ନୀଲିମ୍ କୁମାର ଓ ଦୀପକ ସାମନ୍ତରାୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କୁ ଭାରତୀୟ ସାହିତ୍ୟର ‘କିମ୍ବଦନ୍ତୀ’ ଭାବେ ବର୍ଣ୍ଣନା କରିଥିଲେ ।
ଶ୍ରୀମତି କୁମାର କହିଥିଲେ ଯେ ମହାପାତ୍ର ଜନ୍ମ ମାଟି ସହ ଜଡ଼ିତ ଥିଲେ ଏବଂ କଟକକୁ ତାଙ୍କ କର୍ମଭୂମି ଭାବେ ବାଛିଥିଲେ । ସେ ବିଶ୍ୱର ଯେ କୌଣସି ସ୍ଥାନକୁ ମଧ୍ୟ ଯାଇ ରହି ପାରିଥାନ୍ତେ କିନ୍ତୁ ସେ ତାଙ୍କର ପୈତୃକ ଘର କଟକକୁ ଛାଡ଼ି ଯିବାକୁ ଚାହିଁ ନଥିଲେ ।
ଶିଶୁ ସୁଲଭ ପ୍ରକୃତିର କବି ମହାପାତ୍ର ସବୁବେଳେ ନିଜ ଭାବନାରେ ମଗ୍ନ ରହିଥାନ୍ତି । ତାଙ୍କ ସ୍ମୃତିଚାରଣ କରି କୁମାର କହିଥିଲେ ଥରେ ମହାପାତ୍ର କହିଥିଲେ ଯେ ସେ ପ୍ରତ୍ୟେକ ଦିନକୁ ତାଙ୍କ ଜୀବନରେ ଏକ ଉପହାର ଭାବେ ଗ୍ରହଣ କରୁଥିଲେ ।
ମହାପାତ୍ର ଅନେକ ଓଡ଼ିଆ କବିତାକୁ ଇଂରାଜୀରେ ଅନୁବାଦ କରିଥିଲେ । ସେ ଭାବୁଥିଲେ ବିଭିନ୍ନ ଭାଷାଗୁଡ଼ିକ ପରସ୍ପରକୁ ରୁଦ୍ଧିମନ୍ତ କରିବା ଆବଶ୍ୟକ ।

ଏହି ଅଧିବେଶନରେ ଯୋଗ ଦେଇଥିବା ମୁମ୍ବାଇ ସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍‌ର ପ୍ରଫେସର କୁମାର କହିଥିଲେ ଯେ ସେ ଗତ ୬ ବର୍ଷ ହେବ ପ୍ରତ୍ୟେକ ଦିନ ଜୟନ୍ତ ମହାପାତ୍ରଙ୍କ ସହିତ କଥା ହୋଇ ଆସୁଥିଲେ । ସେ ଜଣେ ଖୁବ୍ ସ୍ନେହୀ ମଣିଷ ଥିଲେ କିନ୍ତୁ ଲୋକମାନେ ତାଙ୍କ କାର‌୍ୟ୍ୟକୁ ଉପଯୁକ୍ତ ନ୍ୟାୟ ଦେଇପାରି ନାହାନ୍ତି ବୋଲି ସେ କହିଥିଲେ । ଏହି ଅବସରରେ ଆସାମୀ କବି ନୀଲିମ କୁମାର ତାଙ୍କର ଏକ ଓଡ଼ିଆ କବିତା ପାଠ କରିଥିଲେ ଓ ତାହାର ଇଂରାଜୀ ଅନୁବାଦ ପ୍ରଫେସର କୁମାରଙ୍କ ଦ୍ୱାରା ପାଠ କରାଯାଇଥିଲା । ମହାପାତ୍ରଙ୍କ ଖୁବ୍ ଅନ୍ତରଙ୍ଗ ଥିବା ଶ୍ରୀ ସାମନ୍ତରାୟ ତାଙ୍କ ସ୍ମୃତିଚାରଣ କରି ୨୦୨୦ରେ ଆୟୋଜିତ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ସେ ତାଙ୍କର ସାକ୍ଷାତ୍‌କାର ନେବାର ସୁଯୋଗ ପାଇଥିଲେ ବୋଲି କହିଥିଲେ । ଏହି କବିଙ୍କର ଆବଶ୍ୟକତା ଗୁଡ଼ିକ ଖୁବ୍ କମ୍ ଥିଲା ଏପରିକି ତାଙ୍କ ଘରେ ସେ କେବେ ଶୀତତାପ ନିୟନ୍ତ୍ରକ ଯନ୍ତ୍ରର ଆବଶ୍ୟକତା ଅନୁଭବ କରିନଥିଲେ ବୋଲି ସେ କହିଥିଲେ । ରିକ୍ସା ଚାଳକ ହେଉ ଅଥବା ତାଙ୍କ ଘର ପାଖରେ ଥିବା ସାଇକେଲ୍ ମେକାନିକ ସମସ୍ତଙ୍କର ଅତି ନିକଟତର ଥିଲେ । ସମସ୍ତେ ତାଙ୍କର ବନ୍ଧୁ ଥିଲେ ।

ମହାପାତ୍ରଙ୍କୁ ଅତି ନିକଟରୁ ଜାଣିଥିବା ଶ୍ରୀ ପଣ୍ଡା ଏକ ସ୍ମୃତିକୁ ମନେ ପକାଇ କହିଥିଲେ ଯେ ମହାପାତ୍ରଙ୍କୁ ଏକଦା ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଙ୍ଗାଧର ସାହିତ୍ୟ ସମ୍ମାନ ପ୍ରଦାନ ନିମନ୍ତେ ନିମନ୍ତ୍ରିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ତାଙ୍କୁ ସମ୍ବଲପୁର ଆଣିବା ନିମନ୍ତେ ଏକ କାର ପଠାଇବାକୁ ନିଷ୍ପତି କରିଥିଲେ । କିନ୍ତୁ ସେ ଏହାକୁ ଅତି ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ନିଜ ବ୍ୟବସ୍ଥାରେ ଯିବେ ବୋଲି ଜଣାଇଥିଲେ । ମହାପାତ୍ର ଜଣାଇଥିଲେ ସେ ସମ୍ବଲପୁରକୁ ଟ୍ରେନ୍‌ରେ ଯିବେ । ସମ୍ବଲପୁର ଷ୍ଟେସନ୍‌ରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଅପେକ୍ଷାରତ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ ଏକ ପାସେଞ୍ଜର ଟ୍ରେନ୍‌ରେ ଆସି ପହଂଚିଥିଲେ ଯାହାକି ଅନେକ ଘଂଟା ବିଳମ୍ବରେ ଆସିଥିଲା । ସେଠାରେ ତାଙ୍କୁ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କୁ ସେ କହିଥିଲେ ଯେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଗ୍ରାମବାସୀଙ୍କ ସହ ସେହି ଟ୍ରେନ୍‌ରେ ଆସିଥିବା ବେଳେ ସେମାନଙ୍କ ସହ ତାଙ୍କ ସମୟ ଖୁବ୍ ଭଲରେ କଟିଥିଲା ।

Leave A Reply

Your email address will not be published.

six − 3 =