ମଣିଷର ଶ୍ରେଷ୍ଠ ବନ୍ଧୁକୁ ମଧ୍ୟ ହୃଦ୍‌ଘାତ ହୁଏ

ଭୁବନେଶ୍ୱର(ରାଜ୍ୟକାହାଣୀ): ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁର ମାନଙ୍କର ମଧ୍ୟ ହୃଦ ସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି ।ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି ସତ ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା ସମ୍ପର୍କରେ ଜାଣିପାରି ନଥାନ୍ତି । ଏହି ହୃଦ୍‌ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତୀ ସମୟରେ ଦେଖାଦେଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କାନାଇନ୍ କାର୍ଡିଓଲୋଜି (କୁକୁରଙ୍କ ହୃଦ୍‌ରୋଗ) ସମ୍ପର୍କିତ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ମତ ରଖିଛନ୍ତି ।

କୁକୁରର ଆୟୁଷ ୧୨ ରୁ ୧୫ ବର୍ଷ ହୋଇଥିବା ବେଳେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ବୋଲି ଜଣାପଡ଼ିଛି । ୫ ରୁ ୬ ବର୍ଷ ବୟସର ହୋଇଥିବା ବେଳେ କୁକୁରମାନଙ୍କର ଏହି ହୃଦ୍‌ରୋଗ ସମସ୍ୟା ଶରୀରରେ ଦେଖାଦେଇଥାଏ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର (ଡାକ୍ତର) ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି ।

ଘରେ ରଖୁଥିବା ପୋଷା କୁକୁରଟି ଯଦି ହାଲିଆ ହେବା ପରି ଜଣାପଡ଼େ, ଠିକ୍ ଭାବେ ଚାଲି ନ ପାରେ, ଖାଇବାକୁ ଇଚ୍ଛା କରେ ନାହିଁ କିମ୍ବା ଡାକିଲେ ନ ଶୁଣେ ତେବେ ମାଲିକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ ବୋଲି ସେ କହିଛନ୍ତି ।
କୁକୁରଟିର ହୃଦ୍ ସମସ୍ୟା ଅଛି ବୋଲି ଜାଣିବା କଷ୍ଟକର ହୋଇଥିବାରୁ ତା’ର ନିୟମିତ ହୃଦ୍ ସମ୍ପର୍କିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ । ନୂତନ ଆଧୁନିକ ପରୀକ୍ଷଣ ପ୍ରକ୍ରିୟା ଦ୍ୱାରା ଏହି ସମସ୍ୟାକୁ ଚିହ୍ନଟ କରିହେବ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି । ବର୍ତମାନ କୁକୁରମାନଙ୍କର ଶରୀରରେ ପେସମେକର ମଧ୍ୟ ଲଗା ଯାଇପାରୁଛି ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ବିଭାଗର ନିର୍ଦ୍ଦେଶକ ଡାକ୍ତର ୱାଇ. ବିଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏ ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି । ଗୃହକର୍ତାମାନେ ମଧ୍ୟ ଗୃହପାଳିତ ପଶୁମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ଲକ୍ଷଣ ବୁଝିବା ଉଚିତ ବୋଲି ସେ କହିଛନ୍ତି ।

ସମ୍ମିଳନୀରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ସମ୍ମିଳନୀକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ କୁକୁରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ଆଇଭିଏସ୍‌ଏଏଚ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ସୁଶାନ୍ତ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତଥା ଆଇଭିଏସ୍‌ଏଏଚ୍ ଅନ୍ତର୍ଗତ ଭେଟେରିନାରୀ କ୍ଲିନିକାଲ୍ କମ୍ପଲେକ୍ସର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ତାମିଲନାଡୁ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ପଞ୍ଜାବ, ସିକିମ, ଉତରପ୍ରଦେଶ, ତ୍ରିପୁରା ଓ ତେଲେଙ୍ଗାନାରୁ ୮ ଜଣ ବିଶେଷଜ୍ଞ ତଥା ୨୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି । ଚାରିଟି ଟେକ୍ନିକାଲ୍ ସେସନ୍‌ରେ ସମୁଦାୟ ୨୦ଟି ବିଷୟବସ୍ତୁ ଉପରେ ଆଲୋଚନା କରାଯିବ ।

ଏହି ସମ୍ମିଳନୀକୁ ଆଇଭିଏସ୍‌ଏଏଚ୍ ପକ୍ଷରୁ ଡାକ୍ତର ସାଲିବାହାନ୍ ଚକ୍ରବର୍ତୀ, ପ୍ରଫେସର ବାନାମ୍ବର ଦାଶ, ପ୍ରଫେସର ରାଧାମୋହନ ନରେନ୍ଦ୍ର, ପ୍ରଫେସର ଧନଞ୍ଜୟ ଦାସ, ଆସିଷ୍ଟାଂଟ ପ୍ରଫେସର ବଳରାମ ସାହୁ, ଦେବେନ୍ଦ୍ର ବିଶ୍ୱାଳ, ବିକାଶ ଦାସ, ଆନାଲିସା ଦେବବର୍ମା ଓ ପ୍ରଜ୍ଞା ମହାପାତ୍ର ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.

20 + 15 =