ଭଦ୍ରକ ସହରର ଉନ୍ନତି ଚାହୁଁନାହାନ୍ତି ବିଧାୟକ:ପୌରାଧ୍ୟକ୍ଷା

ଭଦ୍ରକ(ରାଜ୍ୟକାହାଣୀ): ଭଦ୍ରକ ପୌରାଂଚଳ ତଥା ସହର ଉନ୍ନତୀରେ ବାଧକ ସାଜୁଛନ୍ତି ଭଦ୍ରକ ବିଧାୟକ ସଂଜୀବ କୁମାର ମଲିକ। ଏଭଳି ସଂଗୀନ ଅଭିଯୋଗ କରିଛନ୍ତି ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ। ଭଦ୍ରକଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସଂଜୀବ ମଲ୍ଲିକଙ୍କ ବିରୋଧରେ ଆରୋପ କରିଛନ୍ତି । ବିଧାୟକଙ୍କ ଇଙ୍ଗିତରେ ଶାସକ ଦଳର କାଉନସିଲରମାନେ ପୌରାଧ୍ୟକ୍ଷାଙ୍କୁ ଅସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ପୌରସଭାରେ ଏହି କାଉନସିଲରମାନେ ପ୍ରତିବନ୍ଧକ ସାଜିଥିବା ସେ ଅଭିଯୋଗ କରିଛନ୍ତି ।

ଏହି ଅବସରରେ ପୌରାଧ୍ୟକ୍ଷ ଏକ ଲିଖିତ ପ୍ରେସ ବିବୃତି ମଧ୍ୟ ଜାରି କରିଛନ୍ତି । ଗତ ୮ମାସ ମଧ୍ୟରେ ପୋରାଞ୍ଚଳରେ କ’ଣ ସବୁ ଉନ୍ନତିକର କାର୍ଯ୍ୟ ହୋଇଛି ତାହା ସେ ଦର୍ଶାଇଛନ୍ତି । ପରିମଳ ବ୍ୟବସ୍ଥାକୁ ସଜାଡିବା, ଆଲୋକୀକରଣ ବ୍ୟବସ୍ଥା, ବିଭିନ୍ନ ୱାର୍ଡରେ ପାର୍କର୍ ଓ ଜିମ ସ୍ଥାପନ, ସହରର ମୁଖ୍ୟସ୍ଥାନରେ ସିସିଟିଭି ସ୍ଥାପନ, ସମସ୍ତ ୱାର୍ଡରେ ଚାରାରୋପଣ, ଅଳିଆ ବୋହିବା ଲାଗି ନୂତନ ଗାଡି ଓ ଟ୍ରଲି ବ୍ୟବସ୍ଥା, ଡ୍ରେନେଜ ମାଷ୍ଟର ପ୍ଲାନ ପ୍ରସ୍ତୁତି ଲାଗି ପଦକ୍ଷେପ ନିଆଯିବା ଆଦି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସେ ଦର୍ଶାଇଛନ୍ତି ।

ଏହା ସତ୍ୱେ କେତେକ ପୌର ପ୍ରଶାସନକୁ ସ୍ଥାଣୁ କରିଦେବାକୁ ଚକ୍ରାନ୍ତ କରୁଛନ୍ତିି ବୋଲି ପୌରାଧ୍ୟକ୍ଷା ଆରୋପ କରିଛନ୍ତି । ସେହିଭଳି ପୁରୁଣାବଜାର ଅଞ୍ଚଳ ପାଇଁ ଗୋଟିଏ ଆମ୍ବୁଲାନସ ଓ ମହାପ୍ରୟାଣ ଗାଡି ଦେବାକୁ ସାଂସଦଙ୍କୁ ଅନୁରୋଧ କରାଯାଇଥିବା ବେଳେ ବିଧାୟକ ଏହାକୁ ବିରୋଧ କରୁଛନ୍ତି ବୋଲି ଗୁଲମକ୍କୀ ଖୋଲାଖୋଲି ଆରୋପ କରିଛନ୍ତି । ଏଥିସହିତ ଭେଣ୍ଡିଂ ଜୋନ ସ୍ଥାପନ ଲାଗି ପୌରପାଳିକା ପକ୍ଷରୁ ଉଦ୍ୟମ ହେଉଥିବା ବେଳେ ବିଧାୟକଙ୍କ ଅନୁଗତ କାଉନସିଲରମାନେ ପୌରସଭାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ଏହିଭଳି ଅସହଯୋଗ ଯୋଗୁ ପୌରାଞ୍ଚଳର ବିକାଶ ହୋଇପାରୁ ନାହିଁ ବୋଲି ପୌରଧ୍ୟକ୍ଷା ଗୁରୁତର ଅଭିଯୋଗ କରିଛନ୍ତି । ଆଉ ଏସବୁ ପଛରେ ବିଧାୟକଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ସେ ସୂଚନା ଦେଇଛନ୍ତି।

ସେପଟେ କିନ୍ତୁ ପୌରାଧ୍ୟକ୍ଷାଙ୍କ ଏଭଳି ଅଭିଯୋଗକୁ ବିଧାୟକ ସଂଜୀବ ମଲ୍ଲିକ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ପୂର୍ବରୁ ପୌରପାଳିକାକୁ ମିଳିଥିବା ପାଖାପାଖି ୧୦୦ କୋଟି ଟଙ୍କାର ଅନୁଦାନରୁ ୭୦ରୁ ୭୫ କୋଟି ଟଙ୍କା କାମ ବିଭିନ୍ନ ୱାର୍ଡରେ ଖର୍ଚ୍ଚ କରିଛି । ନୂତନ ପୌରପାଳିକାରେ ବିଜେଡିର ସଂଖ୍ୟାଧିକ କାଉନସିଲର ଅଛନ୍ତି । ଏବେ ନିକଟରେ ବିଭିନ୍ନ ୱାର୍ଡ ପାଇଁ ୨୨ କୋଟି ଟଙ୍କାର କାମକୁ ପୌରସଭାରେ ପାରିତ କରାଯାଇଛି । ଉକ୍ତ କାମ ପାଇଁ ଟେଣ୍ଡର ଡାକିବାକୁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି । ଆଉ ଯେତକ କାର୍ଯ୍ୟ ୱାର୍ଡଗୁଡିକରେ ବାକି ଅଛି ସେସବୁକୁ ମଧ୍ୟ ପୌରସଭା ଡାକି ପ୍ରସ୍ତାବ ପାରିତ କରିବାକୁ ପୌରସଭାରେ ବି ନିଷ୍ପତ୍ତି ହୋଇଛି । ଏଣୁ ବିଜେଡି କାଉନସିଲରମାନେ ଅସହଯୋଗ କରୁନାହାନ୍ତି ବୋଳି ଦର୍ଶାଇ ବିଧାୟକ ଶ୍ରୀ ମଲ୍ଲିକ କହିଛନ୍ତି ଯେ ‘ ମୋର ମନରେ କିଛି କ୍ଷୋଭ ନାହିଁ, ମୋତେ ସହଯୋଗ ଲୋଡିଲେ ମୁଁ ସହଯୋଗ କରିବାକୁ ପ୍ରସ୍ତୁତ ଅଛି ।”

Leave A Reply

Your email address will not be published.

three × five =