ଫେରିଲେ ମୁଖ୍ୟମନ୍ତ୍ରୀ:ସ୍ୱାଗତ ପାଇଁ ବିମାନବନ୍ଦରରୁ ନବୀନ ନିବାସ ପାଲଟିଲା ଜନସମୁଦ୍ର

ଭୁବନେଶ୍ୱର(ରାଜ୍ୟକାହାଣୀ)ନୂଆଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ନେଇ ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ପ୍ରିୟ ନେତାଙ୍କୁ ନିଜ ମାଟିରେ ସ୍ୱାଗତ କରିବା ପାଇଁ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସମ୍ଭବ ଉତ୍ସାହ ଦେଖିବାକୁ ମିଳିଥିଲା । ବିମାନବନ୍ଦରରୁ ପାଛୋଟି ଆଣିବା ପାଇଁ ସେଠାରେ ପ୍ରବଳ ଭିଡ଼ ହୋଇଥିଲା । ବିମାନବନ୍ଦରରୁ ନବୀନ ନିବାସ ଯାଏ ସମଗ୍ର ଅଞ୍ଚଳ ଜନସମୁଦ୍ର ପାଲଟିଥିଲା । ପାରମ୍ପରିକ ନାଚଗୀତ ବାଦ୍ୟଯନ୍ତ୍ରରେ କମ୍ପିଥିଲା ଅଞ୍ଚଳ । ମୁଖ୍ୟମନ୍ତ୍ରୀ ହାତ ହଲାଇ ଶୁଭେଚ୍ଛା ଗ୍ରହଣ କରୁଥିଲା ବେଳେ ସେଠାରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଝଲକ ପାଇବା ପାଇଁ ପାଗଳ ହୋଇଯାଇଥିଲେ ହଜାର ହଜାର କର୍ମୀ ।

ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଘଣ୍ଟାଏ ବିଳମ୍ବରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିଲେ । ଦିନ ୧୨.୧୫ ରେ ପୁରୁଣା ବିମାନବନ୍ଦର ଟର୍ମିନାଲ୍ ରୁ ନବୀନ ବାହାରକୁ ଆସିବା ବେଳେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ତାଙ୍କୁ ପାଛୋଟି ଆଣିଥିଲେ । ବାହାରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲା ହାଇଟେକ୍ ବସ ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରରେ ବ୍ୟବହାର ହୋଇଥିଲା । ନବୀନ ସେହି ବସ୍ ରେ ବସି ଆଗକୁ ବଢ଼ିଥିଲେ । ବିଜୁ ପଟ୍ଟନାୟକ ଛକରେ ବସ୍ ରହିଥିଲା ଏବଂ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବସ୍ ନବୀନ ନିବାସ ଅଭିମୁଖେ ଗଢ଼ିଥିଲା । ଜୟ ନବୀନ ଧ୍ୱନି ସହ ହଜାର ହଜାର କର୍ମୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ବସ୍ ଛାତ ଉପରୁ ହାତ ହଲାଇ ସମସ୍ତଙ୍କ ଶୁଭେଚ୍ଛା ଗ୍ରହଣ କରୁଥିଲେ । ମଝିରେ ମଝିରେ କର୍ମୀଙ୍କୁ ସମ୍ବୋଧିତ କରୁଥିଲେ ମୁଖ୍ୟମନ୍ତ୍ରୀ । ବର୍ଷା ସତ୍ତ୍ୱେ ଆପଣମାନେ ଏତେ ସଂଖ୍ୟାରେ ଏଠାକୁ ଆସିଥିବାରୁ ଧନ୍ୟବାଦ । ମୋର ଏହି ସମ୍ମାନ ପାଇବାରେ ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସ ପାଖରେ ଏହି ବିଶାଳ ପଟୁଆର ପହଞ୍ଚିଥିଲା ଅପରାହ୍ନ ୧. ୧୫ ମିନିଟ୍ ରେ । ବର୍ଷା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ପଟୁଆର ଯାତ୍ରାରେ ସାମିଲ ହେବା ପାଇଁ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଟିକେ ଦଖିବା ପାଇଁ କର୍ମୀମାନଙ୍କର ବ୍ୟାକୁଳତା ବାରି ହୋଇଯାଉଥିଲା ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଜେଡି ପକ୍ଷରୁ ଆୟୋଜିତ ସ୍ୱାଗତ ପର୍ବରେ ସାମିଲ ହେବାକୁ ୩୦ଟି ଯାକ ଜିଲ୍ଲାରୁ ଲକ୍ଷାଧିକ କର୍ମୀ ଭୁବନେଶ୍ୱର ଆସିଥିଲେ । ସେମାନଙ୍କୁ ନେଇ ଆସିଥିବା ବସ୍ ଏବଂ ଅନ୍ୟାନ୍ୟ ଗାଡ଼ି ମଟରଗୁଡ଼ିକ ଆଜି ସକାଳ ୮ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚି ଯାଇଥିଲା । ଭୁବନେଶ୍ୱର ସହରର ଚତୁଃପାଶ୍ୱର୍ରେ ଗାଡିଗୁଡ଼ିକର ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ଜାଗା ରଖାଯାଇଥିଲା । ସେଠାରୁ କର୍ମୀମାନେ ଚାଲି ଚାଲି ବିମାନବନ୍ଦର ଆସିଥିଲେ ।


ଏତେ ସଂଖ୍ୟକ ବିଜେଡି କର୍ମୀଙ୍କ ଆଗମନ ଯୋଗୁଁ ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ମୁଖ୍ୟରାସ୍ତାଗୁଡ଼ିକ ଜାମ୍ ହୋଇଯାଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହାକୁ ସମ୍ଭାଳିବା କାଠିକର ହୋଇଥିଲା । କିଛି ଘଣ୍ଟା ଧରି ସହରବାସୀ ନାହିଁ ନ ଥିବା ସମସ୍ୟା ଭୋଗିଥିଲେ । କିଛି ଜାଗାରେ ଆମ୍ବୁଲାନସ୍ ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

four + 8 =