ଅନୈତିକ କାର୍ଯ୍ୟର ପ୍ରଘଟ ଭୟ:ମମିତାଙ୍କ ହତ୍ୟାର କାରଣ

ଭୁବନେଶ୍ୱର(ରାଜ୍ୟକାହାଣୀ):କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ଖୁଲାସା ହୋଇଛି । ପରକୀୟା ପ୍ରୀତି ପ୍ରଘଟ ଆଂଶଙ୍କାରେ ଗୋବିନ୍ଦ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ବୋଲି ଡିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଡିଆଇଜିଙ୍କ ସୂଚନା ଅନୁସାରେ, ଗୋବିନ୍ଦ ସାହୁଙ୍କର ଜଣେ ଛାତ୍ରୀଙ୍କ ସହ ପରକୀୟା ପ୍ରୀତି ସମ୍ପର୍କ ରହିଥିଲା । ଏହା ମମିତା ମେହେର ଜାଣିଥିଲେ । ଏପରିକି ମମିତାଙ୍କ ପାଖରେ କିଛି ଠୋସ ପ୍ରମାଣ ମଧ୍ୟ ରହିଥିଲା । ସେ ଘଟଣା ପ୍ରଘଟ ନକରିବାକୁ ମମିତାଙ୍କୁ ବୁଝାସୁଝା କରିଥିଲେ । ହେଲେ ମନରେ ତାଙ୍କର ସନ୍ଦେହ ରହିଥିଲା । ତେଣୁ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ସେ ଯୋଜନା କରିଥିଲେ । ଯୋଜନା ମୁତାବକ ସେ ୮ ତାରିଖରେ ମମିତାଙ୍କ ଅଫିସ କାମ ଥିବା କହି ଡାକିଥିଲେ । ପରେ ତାଙ୍କୁ କାର (ଓଡି୦୮-କେ-୧୦୦୨) ରେ ନେଇ ବିଭିନ୍ନ ସ୍ଥାନ ବୁଲିଥିଲେ । ଏପରିକି କିଛି ଜିନିଷ ପତ୍ର କିଣାକିଣି କରିଥିଲେ ।

ପରେ ଯୋଜନା ମୁତାବକ କାର ଭିତରେ ଗୋବିନ୍ଦ ତାଙ୍କୁ ହତ୍ୟା କରିଥିଲା । ହତ୍ୟା କେମିତି କରିଥିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ହତ୍ୟାକାଣ୍ଡ ପରେ କାରରେ ଶବ ରଖି ସେ ସ୍କୁଲ ଷ୍ଟାଡିୟମକୁ ଆସିଥିଲେ । ପୂର୍ବରୁ ସେଠାରେ ଖୋଳା ଯାଇଥିବା ଗାତରେ ଶବକୁ ଫିଙ୍ଗି ଦେଇଥିଲେ । ଶବ ଉପରେ କାଠ ଓ ଟାୟାର ପକାଇ ନିଆଁ ଲଗାଇ ଦେଇଥିଲେ । ପରଦିନ ସକାଳୁ ଉକ୍ତ ଗାତକୁ ପୋତି ଦେଇଥିଲେ । ଶିକ୍ଷୟିତ୍ରୀଙ୍କ ନିଖୋଜ ନେଇ ଅଭିଯୋଗ ଆସିବା ପରେ ପୋଲିସ ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଲାଗିଥିଲା । ପାଖାପାଖି ୭୦ କିଲୋମିଟର ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଂଚ କରାଯାଇଥିଲା । ପୋଲିସକୁ ସୁରାକ ମିଳିବା ପରେ ଗୋବିନ୍ଦଙ୍କୁ ହେପାଜତକୁ ନିଆଯାଇଥିଲା ।
ହେଲେ ପୋଲିସର କିଛିଟା ତ୍ରୁଟି ପାଇଁ ସେ ଖସି ଯିବାରେ ସକ୍ଷମ ହୋଇଥିଲା । ପରେ ୯ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତାକୁ ଏକ ଆଖୁ ବିଲରୁ ଗିରଫ କରାଯାଇଥିଲା । ତା’ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ମମିତାଙ୍କ ଗୋଟିଏ ପାଉଁଜି କାରରୁ ମିଳିଥିବା ବେଳେ ଅନ୍ୟଟି ମୃତ ଦେହ ନିକଟରୁ ଜବତ କରାଯାଇଛି । ଏଥିସହିତ କାର ଭିତରୁ ଏକ ପେଟ୍ରୋଲ ଜାର ଜବତ ହୋଇଛି । ଯାହା ହତ୍ୟାକାଣ୍ଡର ବଳିଷ୍ଠ ପ୍ରମାଣ ଭାବେ କାର୍ଯ୍ୟ କରିବ । ଏହି ଘଟଣାରେ ଜେସିବି ଡ୍ରାଇଭରକୁ ଅଟକ ରଖାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଗୋବିନ୍ଦ ରିମାଣ୍ଡରେ ଆସିବା ପରେ ଆହୁରି କିଛି ତଥ୍ୟ ମିଳିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଗୋବିନ୍ଦଙ୍କ କଳାକାରନାମାକୁ ମମିତା ନାପସନ୍ଦ କରୁଥିଲେ । ଜଣେ +୩ ଛାତ୍ରୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିଲା । ସ୍କୁଲ ଭିତରେ ତାଙ୍କ ସହ ସେ ଅନୈତିକ ସମ୍ପର୍କ ରଖୁଥିଲେ । ଯାହାକୁ ମମିତା ଜାଣିଥିଲା । ଏହାର ପ୍ରମାଣ ମଧ୍ୟ ଯୋଗାଡ କରିଥିଲା । ସ୍କୁଲ ଭିତରେ ଏଭଳି ନକରିବାକୁ ସେ ଗୋବିନ୍ଦକୁ ବାରମ୍ବାର କହିଥିଲା । ଏହାକୁ ନେଇ ଗତ ଜୁଲାଇ ମାସରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେତେବେଳେ ମମିତା ତାଙ୍କର କଳାକାରନାମାକୁ ପ୍ରଘଟ କରିଦେବେ ବୋଲି ଧମକ ଦେଇଥିଲେ । ସେହିଦିନ ଠାରୁ ଗୋବିନ୍ଦ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ବୋଲି ଚର୍ଚ୍ଚା ହେଉଛି

Leave A Reply

Your email address will not be published.

seventeen − 2 =