ଓଡ଼ିଶା ଅଧ୍ୟାପକ ବି ହୋଇପାରିବେ ଆଇଏଏସ୍‌

ଭୁବନେଶ୍ୱର(ରାଜ୍ୟକାହାଣୀ)ଆଗକୁ ଓଡ଼ିଶାରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବି ଆଇଏଏସ୍‌ ଅଧିକାରୀ ହୋଇପାରିବେ। ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ନିଷ୍ପତି ନେଇପାରନ୍ତି। ଏସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପ୍ରଥମଥର ପାଇଁ ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରର ଅଫିସର ବା ଅଧ୍ୟାପକମାନଙ୍କୁ ଏହି ଅଣପ୍ରଶାସନିକ ସେବା ବର୍ଗରେ ସାମିଲ କରି ସେମାନଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦେବା ନିମନ୍ତେ ସରକାରଙ୍କୁ ସୁପାରିସ୍ କରିଛି।

ଅଣପ୍ରଶାସନିକ ସେବା ତାଲିକାରେ ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରକୁ ସାମିଲ କରାଯାଇନାହିଁ । ଯେଉଁଥିପାଇଁ ଗ୍ରୁପ-ଏ ବର୍ଗର ଅଫିସରମାନେ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ପଦବୀ ପାଇଁ ମନୋନୟନ ହେବାରୁ ବଂଚିତ ହେଉଛନ୍ତି । ଓଡ଼ିଶା ଶିକ୍ଷା ସେବା(ଓଇଏସ) କ୍ୟାଡ଼ରରେ ଅଧ୍ୟାପକମାନେ ଗ୍ରୁପ୍‌-ବି ଅଫିସର ଭାବେ ଚାକିରି ଆରମ୍ଭ କରି ୮ବର୍ଷ ପରେ ଗ୍ରୁପ-ଏ ବର୍ଗକୁ ପଦୋନ୍ନତି ପାଇଥାନ୍ତି।

ସେହି ଅନୁପାତରେ ସେମାନଙ୍କ ଦରମା ହାର ୯୩୦୦-୩୪୮୦୦(ଗ୍ରେଡ୍ ପେ-୫୪୦୦ଟଙ୍କା) ରହିଥାଏ, ଯାହାକି ଓଏଏସ୍ କ୍ୟାଡ଼ରରେ ଡେପୁଟି କଲେକ୍ଟର ପାହ୍ୟା ସହ ସମାନ। ତେଣୁ ଅଣପ୍ରଶାସନିକ ସେବା ବର୍ଗରେ ଗ୍ରୁପ୍ -ଏ ବର୍ଗର ଅଧ୍ୟାପକମାନଙ୍କୁ ସାମିଲ କରି ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ପାଇଁ ମନୋନୟନବେଳେ ସେମାନଙ୍କ ନାଁକୁ ସୁପାରିଶ ପାଇଁ ସାମିଲ କରାଯାଉ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ଏହାକୁ ତର୍ଜମା କରିବାପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ପଠାଇବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବା ପରେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଲେ ଅଧ୍ୟାପକମାନେ ଆଇଏଏସ ପଦୋନ୍ନତି ପାଇପାରିବେ ।

Leave A Reply

Your email address will not be published.

two × five =