ଶନିବାର ଆସିପାରେ ବନ୍ୟା

ଭୁବନେଶ୍ୱର (ରାଜ୍ୟକାହାଣୀ):ଆସନ୍ତା ଶନିବାର ବେଳକୁ ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସିପାରେ। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ବନ୍ୟା ଆଶଙ୍କା ରହିଛି । ତେବେ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବନ୍ୟା ମୁକାବିଲା ପାଇଁ ଜଳସଂପଦ ବିଭାଗର ସମସ୍ତ କର୍ମଚାରୀ ତତ୍ପର ଅଛନ୍ତି । ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ୬୨୮ ଫୁଟ ରଖିବାକୁ ନିଷ୍ପତି ନିଆଯାଇଛି । ବଳକା ଜଳକୁ ନିଷ୍କାସନ କରିବାକୁ ଅଧିକ ଗେଟ୍ ଖୋଲାଯିବ । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ଗେଟ ଖୋଲାଯିବା ପରେ ମୁଣ୍ଡୁଳିଠାରେ ଘଂଟାପ୍ରତି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି।

ସେ କହିଛନ୍ତି ଯେ ଏବେ ସୁଦ୍ଧା ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରବାଭିତ ହୋଇଛି ।୪୩୩୪ ଗାଁ ଓ ୩୯ଟି ପୌରାଂଚଳ ପ୍ରଭାବିତ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ, ୨ ଜଣ ନିଖୋଜ ହୋଇଛନ୍ତି । ୩ହଜାର ୮୩୯ ଘର ଓ ୧.୩୦ଲକ୍ଷ ହେକ୍ଟର ଜମି ପ୍ରଭାବିତ ହୋଇଛି । ଗତ ୨୪ ଘଂଟାରେ ବାଲେଶ୍ୱର ଭୋଗରାଇରେ ୧୨୨ ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ ସବଡେଗାରେ ୧୧୮ ମିମି ବର୍ଷା ରେକର୍ଡ କରାଯାଇଛି । ୮ ଜିଲ୍ଲାର ୨୩ ବ୍ଲକରେ ୫୦ରୁ ଶହେ ମିମି ପର‌୍ୟ୍ୟନ୍ତ ବର୍ଷା ହୋଇଛି । ବୈତରଣୀ ଓ ବ୍ରାହ୍ମଣୀରେ ଜଳସ୍ତର ବଢୁଛି । ଜଳକାରେ ମଧ୍ୟ ବନ୍ୟା ପରିସ୍ଥିତି ରହିଛି । ବ୍ରାହ୍ମଣୀ ନଦୀର ତିନିଟି ସ୍ଥାନରେ ଘାଇ ହୋଇଛି ।

Leave A Reply

Your email address will not be published.

four × 5 =