ବିବନ ବଖାଣିଲା କଳଙ୍କିତ କାହାଣୀ

ଭୁବନେଶ୍ୱର:(ରାଜ୍ୟକାହାଣୀ) ୧୯୯୯ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଘଟଣାସ୍ଥଳରେ ବଖାଣିଛି ସେହି କାଳ ରାତିର କଳଙ୍କିତ କାହାଣୀ। ଆଜି ଭୋର ସମୟରେ ସିବିଆଇ ଅଧିକାରୀମାନେ ବିବନକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଛନ୍ତି । ୨୨ବର୍ଷ ତଳେ ଘଟଣା ଘଟିଥିବା ସେହି ସ୍ଥାନରେ ତନାଘନା ଚଳାଇଛି ତଦନ୍ତକାରୀ ସଂସ୍ଥା । କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ତାହାର ଖୋଳତାଡ଼ କରୁଛି ସିବିଆଇ । ଚନ୍ଦକା ଥାନା ଅଞ୍ଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ସେଠାକୁ ନେଇ କରୁଛି ଛାନଭିନ୍ । ଆଉ ଅଭିଯୁକ୍ତ କହିଛି ସେଦିନ କିଭଳି ପୀଡ଼ିତାଙ୍କୁ ଅମାନବୀୟ ନିର୍ଯ୍ୟାତନା ଦେଇ ଗଣଦୁଷ୍କର୍ମ କରିଥିଲେ।

୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ବାହାର କରୁଛି ସିବିଆଇ । ସେହିଭଳି ଏହି କୁତ୍ସିତ କାଣ୍ଡ ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା? କେମିତି ନାଁ ବଦଳାଇ ଲୁଚି ବୁଲୁଥିଲା? କାହା ପ୍ରରୋଚନାରେ ଭିଆଇଥିଲା ଜଘନ୍ୟ ଅପରାଧ? କେଉଁମାନେ ତାକୁ ଫେରାର୍ କରାଇବାକୁ ସହଯୋଗ କରିଥିଲେ? ଏସବୁ ଦିଗକୁ ଫୋକସ୍‌ରେ ରଖି ବିବନ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରୁଛି ସିବିଆଇ ।

ବିବନର ଆଜି ରିମାଣ୍ଡର ଶେଷ ଦିନ । ତା ପୂର୍ବରୁ ସବୁ ସତ ଓଗାଳିବାକୁ ଚେଷ୍ଟା ଜାରି ରଖିଛି ତଦନ୍ତକାରୀ ଦଳ । ଆବଶ୍ୟକ ହେଲେ ପୁଣି ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇପାରେ । ସେପଟେ ଅଞ୍ଜନା ମିଶ୍ର କହିଛନ୍ତି ଏହି ଘଟଣା ପଛରେ କିଏ ଷଡଯନ୍ତ୍ର କରିଥିଲେ ତାହା ଲୋକଲୋଚନକୁ ଆସିବା ଦରକାର । ସେ ଦିଗକୁ ଗୁରୁତର ସହ ତଦନ୍ତ କରାଯିବାକୁ ଦାବି ମଧ୍ୟ କରିଛନ୍ତି ପୀଡିତା ।

Leave A Reply

Your email address will not be published.

4 × 3 =