ଉପକାରାଗାରରେ ଦୁଷ୍କର୍ମ: ଆସିଲା ସଂଗୀନ ଅଭିଯୋଗ

ଟିଟିଲାଗଡ଼:(ରାଜ୍ୟକାହାଣୀ)ଟିଟିଲାଗଡ଼ ଉପକାରାଗାର ରେ ପୂର୍ବରୁ ରହିଥିବା ଜଣେ ମହିଳା ବିଚାରଧୀନ ଭାବରେ ରହିଥିବା ଜଣେ ପୁରୁଷ ଅନ୍ତେବାସୀ ଉପରେ ଗୁରୁତର ଅଭିଯୋଗ ଆଣିବା ସହ ଜେଲ ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ମହିଳା ଜଣକ ଟିଟିଲାଗଡ଼ ଥାନାରେ ଦାଖଲ କରିଥିବା ଅଭିଯୋଗ ମୁତାବକ,ସେ ଏକ ଘରୋଇ କଳହରେ ଗତ ଅକ୍ଟୋବର ମାସ ୨୯ ତାରିଖ ଦିନ ଟିଟିଲାଗଡ଼ ଜେଲ ଯାଇଥିଲେ । ସେଠାରେ ଜଣେ ଅନ୍ତେବାସୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ମହିଳା ଜଣକ ଜେଲ ଭିତରେ ରହି ମାନସିକ ଚାପରେ ରହିଥିବା ବେଳେ ସମ୍ପୃକ୍ତ ଯୁବକ ଅନ୍ତେବାସୀ ତାଙ୍କ ସହ ପ୍ରେମ ନିବେଦନ କରି ବିବାହ କରିବାର ପ୍ରତିଶୃତି ଦେଇଥିଲା ଏବଂ ଶାରୀରିକ ସମ୍ପର୍କ ଜେଲ ଭିତରେ ରଖିଥିବା ବେଳେ ଜେଲର କେତେକ କର୍ମଚାରୀ ମାନେ ଉଭୟଙ୍କୁ ମିଳାମିଶା ପାଇଁ ସାହାଯ୍ୟ ସହଯୋଗ କରୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ।

ତେବେ ଉକ୍ତ ଅନ୍ତେବାସୀ ଜେଲ ଭିତରେ ଏକ ମାମଲାରେ ଫସି ରହିଥିବାରୁ ନିୟମିତ ବ୍ୟବଧାନରେ ମହିଳା ତାଙ୍କୁ ଦେଖା କରିବାକୁ ଯାଉଥିବା କହିଛନ୍ତି। ହେଲେ ଗତ ଶୁକ୍ରବାର ଦିନ ଜେଲ ଭିତରେ ରହିଥିବା ଅନ୍ତେବାସୀ ସମ୍ପୃକ୍ତ ମହିଳାଙ୍କୁ ଚିନ୍ହି ନ ଥିବା କହିବାରୁ ମହିଳା ଜଣକ ତାଙ୍କୁ ଶୋଷଣ ଏବଂ ପ୍ରତାରଣା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ଦାଏର କରିଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ଟିଟିଲାଗଡ଼ ଜେଲ କୁ ଯାଇ ଘଟଣାର ଛାନଭିନ ଆରମ୍ଭ କରିଛି। ପୀଡିତା ମହିଳା ଙ୍କ ଡାକ୍ତରୀ ମାଇନା କରାଯାଇଛି, ତେବେ ପ୍ରଥମେ ଘଟଣା କୁ ନେଇ କିଛି କହିବାକୁ ମନା କରୁଥିବା ପୀଡିତା ପରେ ଗଣ ମାଧ୍ୟମ ଆଗରେ ନିଜର ଘଟଣା ସମ୍ପର୍କ ରେ କହିଛନ୍ତି। ଜେଲ ଭିତରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଏବେ ତାଙ୍କୁ ଶୋଷଣ ଏବଂ ପ୍ରତାରଣା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମହିଳା ଜଣକ।

ଗତ ଡିସେମ୍ବର ମାସ ୫ ତାରିଖ ରେ ଏହି ଘଟଣା ଘଟିଥିବା ବେଳେ ଡିସେମ୍ବର ମାସ ୧୯ ତାରିଖ ରେ ବେଲରେ ବାହାରି ଥିଲେ ମହିଳା। ତେବେ ସେ ପଟେ ଏହି ଘଟଣା ଉପରେ ଟିଟିଲାଗଡ଼ ପୋଲିସ କିଛି କହିବାକୁ ମନା କରିଦେଇ ଥିବା ବେଳେ ଜେଲ କର୍ତ୍ତୃପକ୍ଷ ମଧ୍ୟ କିଛି କହିବାକୁ ମନା କରିଛନ୍ତି।
ପୀଡିତା ଜଣକ ଗତ ଡିସେମ୍ବର ମାସ ୧୯ ତାରିଖ ରେ ଜାମିନ ରେ ଆସିବା ପରେ ଦୀର୍ଘ ଦେଢ଼ ମାସ ପରେ ଗତ କାଲି ରାତିରେ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ କୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି। ତେବେ ଟିଟିଲାଗଡ଼ ଉପକାରଗାରର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନ ଉଠିଛି। ଜେଲ ଭିତରେ ମହିଳା ଏବଂ ପୁରୁଷ ମାନଙ୍କ ପାଇଁ ସ୍ୱତନ୍ତ୍ର ସେଲ ବା ରହିବାର ବ୍ୟବସ୍ଥା ରହିଛି। ପୁଣି ମହିଳା ଅନ୍ତେବାସୀନିଙ୍କ ପାଇଁ ମହିଳା କର୍ମଚାରୀ ରହିଛନ୍ତି। ଏପରି ସ୍ଥଳେ ଜଣେ ପୁରୁଷ ବିଚାରଧୀନ ଅନ୍ତେବାସୀ ଏବଂ ମହିଳା ଅନ୍ତେବାସୀ ଙ୍କ ମଧ୍ୟରେ ଦେଖା ହେଲା କିପରି? ପ୍ରେମରୁ ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ କଥା ଗଲା କେମିତି? ଜେଲ ଭିତରେ ସୁରକ୍ଷା ବ୍ୟବସ୍ଥା ଢିଲା ରହିଛିକି? ମହିଳା ୱାର୍ଡ ଏବଂ ପୁରୁଷ ୱାର୍ଡ ମଧ୍ୟରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ କି?

ଏମିତି ଅନେକ ପ୍ରଶ୍ନ ଏବେ ଉଠିବାରେ ଲାଗିଛି। ତେବେ ଏହି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କାହିଁକି ଜେଲ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି?. କହିଁକି ପୋଲିସ ବିଭାଗ ବି ଗଣମାଧ୍ୟମ ଆଗରେ ସୂଚନା ପ୍ରଦାନ କରୁନି? ଏମିତି ଅନେକ ପ୍ରସଙ୍ଗ ପ୍ରଶ୍ନ ଏବେ ଦେଖା ଦେଇଛି।

Leave A Reply

Your email address will not be published.