ନାଲକୋର ସମ୍ପ୍ରସାରଣ ପାଇଁ ପୁଞ୍ଜିନିବେଶର ବାଟ ଫିଟିଲା:ଧର୍ମେନ୍ଦ୍ର

ଭୁବନେଶ୍ୱର:(ରାଜ୍ୟକାହାଣୀ) ଅନୁଗୁଳ ନାଲକୋ ପ୍ଲାଂଟର ସଂପ୍ରସାରଣ ପାଇଁ ଏବେ ପୁଞ୍ଜିନିବେଶର ଦ୍ୱାର ଫିଟିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଗତ ୪ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ପତ୍ରର ଉତ୍ତରରେ ଦେଇ କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଅନୁଗୁଳ ଜିଲ୍ଲାର ନାଲକୋ ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନେଉଛନ୍ତି ବୋଲି ଧର୍ମେନ୍ଦ୍ରଙ୍କ ଚିଠିର ଉତ୍ତର ଦେଇ ଶ୍ରୀ ଯୋଶୀ ଏକଥା କହିଥିବା ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି ।
ଗତ ଜାନୁଆରୀ ୪ରେ ଅନୁଗୁଳ ନାଲକୋ ଆଲୁମିନିୟମ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିଥିଲେ । ଏହାର ପ୍ରତି ଉତ୍ତରରେ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ନାଲକୋର ଏହି ପ୍ରକଳ୍ପ ଭାରତ ସରକାରଙ୍କ ପ୍ରାଥମିକତାରେ ରହିଛି । ଏହି ପ୍ରକଳ୍ପ କମ୍ପାନୀର କ୍ଷମତା ସଂପ୍ରସାରଣ ପ୍ରକଳ୍ପରେ ପରିସରଭୃକ୍ତ ରହିଛି । ପ୍ରକଳ୍ପର ଡିଟେଲ୍ସ ପ୍ରଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତକୁ ସାକାର କରିବା ପାଇଁ ଏହି ସବୁ ପ୍ରକଳ୍ପକୁ କାର୍ଯ୍ୟ କରିବା ଦିଗରେ ଖଣି ଓ କୋଇଲା ମନ୍ତ୍ରଣାଳୟ ସବୁ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.