ପାକିସ୍ତାନରେ ବି ରହିଛି ମହାପ୍ରଭୁଙ୍କ ଜମି : ଆଇନ ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ନେଇ ଆସିଛି ଏକ ବଡ଼ ଖବର। କେବଳ ଓଡ଼ିଶା କିମ୍ବା ଭାରତର ବିଭିନ୍ନ ଅଞ୍ଚଳରେ ନୁହେଁ, ମହାପ୍ରଭୁଙ୍କ କିଛି ଜମି ଆଜିର ପାକିସ୍ତାନର ସିନ୍ଧ ଅଞ୍ଚଳରେ ମଧ୍ୟ ଥିବା ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ରିପୋର୍ଟ ଅନୁସାରେ, ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ପୁନରୁଦ୍ଧାର ସମ୍ପର୍କରେ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟଙ୍କ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ ପକ୍ଷରୁ ଫେବ୍ରୁଆରୀରେ ନିର୍ଦେଶନାମା ଜାରି କରାଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ସମସ୍ତ ଭୂ-ସମ୍ପତ୍ତିର ଖତିୟାନ ସଂଶୋଧନ ସହ ବିଭିନ୍ନ ଅପେକ୍ଷିତ ମାମଲାର ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଥିଲା । ତେବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଜମି ଓ ସମ୍ପତ୍ତିର ସମ୍ପୂର୍ଣ୍ଣ ରେକର୍ଡ ପ୍ରସ୍ତୁତ କରିବାକୁ ଏବେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଓଡ଼ିଶା ସମେତ ଦେଶର ଅନ୍ୟ ଅଞ୍ଚଳ ଏବଂ ଦେଶ ବାହାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିକୁ ଚିହ୍ନଟ, ଯାଞ୍ଚ ଏବଂ ଏହାର ରେକର୍ଡ ପ୍ରସ୍ତୁତ କରାଯିବ। ଶ୍ରୀଜଗନ୍ନାଥଙ୍କ ଜମି ଓ ସମ୍ପତ୍ତିକୁ ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ମନ୍ଦିର ଜମି, ଜମି ରେକର୍ଡ, ଜବରଦଖଲ ଏବଂ ଜମି ସେଟଲମେଣ୍ଟ ସମ୍ପର୍କିତ ନିୟମ ଉପରେ ଆଲୋଚନା ହୋଇଛି।

You might also like